spot_img

Latest Posts

ପ୍ରତିଶୃତି ଭୁଲିଗଲେ ମୋହନ ସରକାର

ନନ୍ଦିଘୋଷ ବ୍ୟୁରୋ:  ନିର୍ବାଚନ ସରିଲା। କିନ୍ତୁ ପ୍ରତିଶୃତି ଭୁଲିଗଲେ ମୋହନ ସରକାର। ୨୦୨୪ ନିର୍ବାଚନରେ ଓଡ଼ିଶାରେ ଯେଉଁ କେତୋଟି ଗ୍ୟାରେଣ୍ଟିକୁ ବିଜେପି ଅଧିକ ପ୍ରଚାର କରୁଥିଲା। ସେ ମଧ୍ୟରୁ ଭତ୍ତା ବଢ଼ିବା ଥିଲା ବଡ଼ ପ୍ରତିଶୃତି । ହେଲେ ସରକାର ଗଠନର  ୬ ମାସ ପରେ ବି ବଢ଼ିଲାନି ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କ ଭତ୍ତା। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହିତାଧିକାରୀ। ସିଧାସିଧା ସରକାରଙ୍କୁ ଶୁଣାଇଛନ୍ତି କଥା ଦେଇ ଭୋଟ ନେଲ, ଏବେ ନିଜ ପ୍ରତିଶୃତି ପାଳନ କର। ବିଜେଡି ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ, ଚିରାଚରିତ ଢ଼ଙ୍ଗରେ ଉତ୍ତର ରଖିଛି ବିଜେପି।

କଥା ଦେଇ ଭୋଟ ନେଲେ। ଭୋଟ ପାଇବା ପରେ ନିଜ କଥାକୁ ନିଜେ ଭୁଲିଗଲେ। ଏପରି ସ୍ଲୋଗାନ ଦେଇ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ, ଦୁଃସ୍ଥ କଳାକାର ଓ ଅସହାୟ ମହିଳା ଭତ୍ତା ହିତାଧିକାରୀ। ମୋହନ ସରକାରଙ୍କୁ ପ୍ରଶ୍ନ, କେବେ ମିଳିବ ୩୫୦୦ ଟଙ୍କା ଭତ୍ତା ? ସରକାର ଗଠନର ୬ ମାସ ପରେ ବି କାହିଁକି ନିଜ ପ୍ରତିଶୃତି ପୂରଣ କରୁନି ବିଜେପି ସରକାର ? ନିର୍ବାଚନ ବେଳେ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଥିଲା ବିଜେପି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତାକୁ ବୃଦ୍ଧି କରି ୩୦୦୦ ଟଙ୍କା କରାଯିବ ବୋଲି ଓଡ଼ିଶାବାସୀଙ୍କୁ ଗ୍ୟାରେଣ୍ଟି ଦେଇଥିଲା ଭାରତୀୟ ଜନତା ପାର୍ଟି।

ଓଡ଼ିଶାରେ ବର୍ତ୍ତମାନ ଭତ୍ତା ବାବଦକୁ ହଜାରେ ଟଙ୍କା ମିଳୁଥିବା ବେଳେ, ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୧୨୦୦ ଟଙ୍କା ଦିଆଯାଉଛି। ସେହିପରି ଭିନ୍ନକ୍ଷମଙ୍କୁ ମଧ୍ୟ ଯଥାକ୍ରମେ ହଜାରେ ଓ ୧୨୦୦ ଟଙ୍କା ପ୍ରଦାନ କରାଯାଉଛି। ଏବେ ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ଭତ୍ତା ବୃଦ୍ଧି ନହେବା ହିତାଧିକାରୀଙ୍କ ଦୁଃଖକୁ ଦୁଇଗୁଣିତ କରିଛି। ଯେଉଁଥି ପାଇଁ ପରିଣତ ବୟସରେ ବି ରାଜଧାନୀକୁ ଆସି ମୋହନ ସରକାରଙ୍କୁ ନିଜର ପ୍ରତିଶୃତି ପାଳନ କରିବାକୁ ଗୁହାରୀ କରିଛନ୍ତି ହିତାଧିକାରୀ।

ଆନ୍ଧ୍ରପ୍ରଦେଶରେ ୩ ହଜାର ଟଙ୍କା, ଦିଲ୍ଲୀରେ ଯଥାକ୍ରମେ ୨ ହଜାର ଓ ଅଢ଼େଇ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ଓଡ଼ିଶାରେ ୩ ହଜାର ଟଙ୍କା ଭତ୍ତା ଦେବାକୁ କହିଥିଲା ବିଜେପି। ସରକାରକୁ ଆସିଲେ, କିନ୍ତୁ ପାଣିର ଗାର ହୋଇଗଲା ପ୍ରତିଶୃତି। ସରକାର ଗଠନର ୬ ମାସ ପରେ ବି ଭତ୍ତା ବୃଦ୍ଧି କରିବାରେ ବିଫଳ ହୋଇଛନ୍ତି ମୋହନ ସରକାର। ରାଜ୍ୟବାସୀଙ୍କୁ ସରକାର ଭଣ୍ଡାଇ ଦେଇଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା। ଅନ୍ୟପଟେ ସବୁ ପ୍ରତିଶୃତି ପୂରଣ କରାଯିବ ବୋଲି କହିଛି ବିଜେପି।

ସୁଭଦ୍ରା ଯୋଜନାରେ ୨ ବର୍ଷକୁ ୫୦ ହଜାର ଟଙ୍କା ମିଳିବା, ଭତ୍ତା ୩୦୦୦ ହଜାର ଟଙ୍କା, ସରକାର ଗଠନ ଦିନ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି ପରି ବଡ଼ ବଡ଼ ନିର୍ବାଚନୀ ପ୍ରତିଶୃତି ଦେଇ ବିଜେପି ଓଡ଼ିଶାବାସୀଙ୍କ ଠାରୁ ଭୋଟ ନେଇଥିଲା । ହେଲେ ସରକାର ଗଠନ ପରେ ସବୁ ଭୁଲିଗଲେ। ଯାହାକୁ ନେଇ ସାଧାରଣରେ ତେଜିବାରେ ଲାଗିଛି ଅସନ୍ତୋଷ।

Latest Posts

Don't Miss