ବାତ୍ୟା ‘ଦାନା’ ମୁକାବିଲା ପାଇଁ ନବୀନ ସରକାରଙ୍କ ଜିରୋ କାଜୁଆଲିଟି ନୀତି ଆପଣେଇଛନ୍ତି ମୋହନ ସରକାର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜସ୍ବ ବିଭାଗ, ଶକ୍ତି ବିଭାଗ, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ନିଜ ନିଜର ପ୍ରସ୍ତୁତି କରିଛନ୍ତି । ପରିବହନ ବିଭାଗ ମଧ୍ୟ ତୟାର ରହିଛି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ । ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୃଷି ବିଭାଗ ପକ୍ଷରୁ ଧାନ ଅମଳ ଉପରେ ଚାଷୀମାନଙ୍କ ପାଇଁ ଆଭାଇଜାରୀ ଜାରି ହୋଇଛି । ଶକ୍ତି ବିଭାଗ ମଧ୍ୟ ଅବିରତ ବିଦ୍ୟୁତ ଯୋଗାଣ ପାଇଁ ଜିଲ୍ଲାସ୍ତରକୁ ନିର୍ଦ୍ଦେଶ ଦେଇଛି । ବାତ୍ୟାର ଗତି ଓ ତୀବ୍ରତା ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପୂର୍ବର ନବୀନ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଇଁ ମିଶନ ଜିରୋ କାଜୁଆଲିଟି ମୋଡ଼କୁ ଆପଣାଇଛନ୍ତି ମୋହନ ସରକାର ।

ନବୀନ ସରକାର ଢାଞ୍ଚାରେ ବିପର୍ଯ୍ୟୟ ମୁକାବିଲା ପାଇଁ ମୋହନ ସରକାର ଆପଣାଇଛନ୍ତି ମିଶନ ଜିରୋ କାଜୁଆଲିଟି ମୋଡ୍ । ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି ସାଙ୍ଗକୁ ବିପର୍ଯ୍ୟୟ ବେଳେ ଓ ବିପର୍ଯ୍ୟୟ ପରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସମସ୍ତ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ପ୍ରଭାବିତ ହେବାକୁ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଲଗାତାର ଆଲୋଚନା କରୁଛି ରାଜସ୍ବ ବିଭାଗ । ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ଅନୁଧ୍ୟାନ ସହ ଜିଲ୍ଲାପାଳମାନେ ବ୍ଲକ ପ୍ରଶାସନକୁ ସଜାଗ କରିଛନ୍ତି । ଧାନ ଅମଳ ସମୟ ଥିବାରୁ ଚାଷୀମାନେ ଫସଲକୁ ସୁରକ୍ଷିତ କରି ରଖିବାକୁ କୃଷି ବିଭାଗ ଆଭାଇଜରୀ ଜାରି କରିଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଶକ୍ତି ବିଭାଗ ନିର୍ଦ୍ଦେଶ ଦେଇଛି ।

ବାତ୍ୟା ‘ଦାନା’ର ଗତି ଓ ତୀବ୍ରତା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏହାକୁ ନେଇ    ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଖୋର୍ଦ୍ଧା, ମୟୂରଭଞ୍ଜ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ଓ ଏହା ପରର ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତି ଚଳାଇଛି । ବାତ୍ୟ ଆଶ୍ରୟ ସ୍ଥଳରେ ହାଲୋଜେନ ବଟିକା, ଡାକ୍ତରଖାନାରେ ସାପ କାମୁଡ଼ା ଇଞ୍ଜେକସନ, ଝାଡ଼ାବାନ୍ତି ରୋଗର ମୁକାବିଲା ପାଇଁ ଶଯ୍ୟା ଓ ଷ୍ଟାଫମାନଙ୍କୁ ଆଲର୍ଟ ମୋଡରେ ରଖାଯାଇଛି । ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ବିଭିନ୍ନ ବିଭାଗର ମନ୍ତ୍ରୀମାନେ କହିଛନ୍ତି । ତତ୍କାଳୀନ ନବୀନ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସାରା ବିଶ୍ବ ପାଇଁ ରୋଲ ମଡେଲ ସାଜିଥିବାବେଳେ ଏହି ମଡେଲକୁ ଆପଣାଇଛନ୍ତି ମୋହନ ସରକାର ।

ଦାନା ସ୍ଥଳଭାଗରେ କେଉଁଠି କେତେବେଳେ ମାଡ଼ ହେବ, ତାହା ସ୍ପଷ୍ଟ ହେବା ପରେ ସରକାରୀ କଳର ଗତିବିଧି ଆରମ୍ଭ ହେବ । ଓଡ୍ରାଫ ଓ ଏନଡ଼ିଆରଏଫ୍ ଟିମକୁ ସଜାଗ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ବଳ ଓ ହେଲିକପ୍ଟର ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି ।