ବିଜେଡିର ଜିରୋ କାଜୁଆଲିଟି ନୀତି ଅନୁସରଣ କରିବ ବିଜେପି

1 min read

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଆପଣାଇଥିଲେ ଜିରୋ କାଜୁଆଲଟି ନୀତି । ଆଜି ସେହି ଜିରୋ କାଜୁଆଲଟି ନୀତିକୁ ଅନୁସରଣ କରିବ ନୂଆ ବିଜେପି ସରକାର । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ୨୦୨୪ରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଓଡ୍ରାଫ ୟୁନିଟ ବୃଦ୍ଧି, ବନ୍ୟା ନିୟନ୍ତ୍ରଣ ଓ ସାପ କାମୁଡ଼ା ମୃତ୍ୟୁ ରୋକିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ଚାଲି ଯାଇଥିଲା । ତା’ପରେ ଆସିଥିଲା ନବୀନ ପଟ୍ଟନାୟକ ସରକାର । ନବୀନଙ୍କ ସମୟରେ ବି ଅନେକ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହୋଇଥିଲା ଓଡ଼ିଶା । ହେଲେ ଏହାକୁ ସଫଳତା ସହ ମୁକାବିଲା କରିଥିଲେ ନବୀନ ସରକାର । ପ୍ରତି ଜୀବନ ମୂଲ୍ୟବାନ ନାରା ଦେଇ ଜିରୋ କାଜୁଆଲଟିକୁ ଫୋକସରେ ରଖି ସଫଳତା ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିଥିଲେ ନବୀନ । ଆଜି ନବୀନଙ୍କ ଜିରୋ କାଜୁଆଲଟି ନୀତିକୁ ନୂଆ ସରକାର ବି ଆପଣାଇଛି ।

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟାୟ କମିଟି ବୈଠକ ୨୦୨୪ର ଫୋକସରେ ରହିଥିଲା ଜିରୋ କାଜୁଆଲଟି ନୀତି । ଯେଉଁଥିରେ ଭବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ୍ରାଫର ୨୦ଟି ୟୁନିଟକୁ ବୃଦ୍ଧି କରାଯାଇ ୩୦ଟି ୟୁନିଟ୍ କରି ଏହାକୁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ ବିକଶିତ କରାଯିବ । କଟକ-ଭୁବନେଶ୍ବର ସହିତ ଅନ୍ୟ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଦୀର୍ଘ ମିଆଦୀ ଯୋଜନା କରିବେ ରାଜ୍ୟ ସରକାର । ୩୯୪ କୋଟି ଟଙ୍କାରେ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିସହ ଅଧିକ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ଯ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ୫ଟି ରିଜିଓନାଲ ଫାୟାର ସର୍ଭିସ ହବ୍ କାର୍ଯ୍ୟକ୍ଷମ ହେବ । ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପ କାମୁଡାର ଅଧିକ ସମ୍ଭାବନା ରହିଥିବାରୁ ସବୁ ହସ୍ପିଟାଲରେ ଆଣ୍ଟି ସ୍ନେକ୍ ଭେନମ୍ ଗଚ୍ଛିତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସତର୍କ ମୋବାଇଲ୍ ଆପ୍ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ । ଏହି ଆପ୍ ନେଇ ସଚେତନତା ସୃଷ୍ଟି କରାଯିବ । ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଓ ଉପଯୁକ୍ତ ଚିକିତ୍ସାରେ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସହ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କର ଅବଦାନ ମଧ୍ୟ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପ୍ରଶଂସା କରିଛନ୍ତି ।

ବର୍ଷା ଦିନ ଆରମ୍ଭ ହୋଇଯାଇଛି । ଏଥିପାଇଁ ଦୁର୍ବଳ ନଦୀବନ୍ଧ ଓ ପୂର୍ବରୁ ଥିବା ଘାଇକୁ ତୁରନ୍ତ ମରାମତି ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଚଳିତବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଲାଗି ରହିଛି । ଏବେଠାରୁ ଆସନ୍ତା ଅକ୍ଟୋବର ମାସ ଯାଏଁ ରାଜ୍ୟ ପାଇଁ ପ୍ରଚୁର ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟର ସମ୍ଭାବନା ରହିଛି । ଏହି ସମୟକୁ ଅଧିକ ଗୁରୁତର ସହ ନିଆଯିବ ।

ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜୁଲାଇରୁ ଅକ୍ଟୋବରକୁ ଅତି ଗୁରୁତର ସହ ନେଉଥିଲେ । କାରଣ ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ଅଧିକ । ଏହାକୁ ଦୃଷ୍ଟିରେ ରଖି ଜିରୋ କାଜୁଆଲଟିର ଯେଉଁ ମଡେଲ ପ୍ରସ୍ତୁତ କରିଥିଲେ ନବୀନ ପଟ୍ଟନାୟକ, ତାହା ସାରା ବିଶ୍ବ ପାଇଁ ରୋଲ ମଡେଲ ହୋଇ ରହିଛି । ଏହାକୁ ଆଗକୁ ନେଇ ପ୍ରତି ଜୀବନକୁ ସୁରକ୍ଷା ଦେବାର ଆହ୍ବାନ ନୂଆ ସରକାର ପାଖରେ ରହିଛି ।