ବଦଳିବ ମୋହନଙ୍କ ଟିମ୍: ବାଦ୍ ପଡ଼ିବେ ବଦନାମ ମନ୍ତ୍ରୀ, ତାଲିକା ପ୍ରସ୍ତୁତ, ପ୍ରକ୍ରିୟା ଆରମ୍ଭ

ଭୁବେନଶ୍ବର: ୧୩ ମାସ ହେବ ୬ଟି ମନ୍ତ୍ରୀପଦ ଖାଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ଟି ବିଭାଗ। ଅଧିକାଶ ମନ୍ତ୍ରୀଙ୍କ ପାଖରେ ୩ଟି ବିଭାଗ । ରଥଯାତ୍ରା ବିଭ୍ରାଟ, ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ, ବିଷାନ୍ତ ମଦମୃତ୍ୟୁ ଅଭିଯୋଗ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାଲେଶ୍ବର ଏଫଏମ କଲେଜ, ପ୍ରଶ୍ନପତ୍ର ଲିକ, କଳିଙ୍ଗ ଷ୍ଟାଡିୟମ ଟ୍ରାକରେ କ୍ରୀଡ଼ା ମନ୍ତ୍ରୀଙ୍କ ଗାଡି ରହିବା ପ୍ରସଙ୍ଗରେ ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଛନ୍ଦି ହୋଇପଡିଛନ୍ତି । ବଳଙ୍ଗାରେ ଛାତ୍ରୀଙ୍କୁ ପୋଡିମାରିବା ଉଦ୍ୟମ, ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁର୍ଷମ ବଢିବା ନେଇ ବଦନାମ ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବିଧାନସଭାରେ ଅସଭ୍ୟ ଶବ୍ଦ କହିବା, ହଇଜା ବ୍ୟାପିବା, ଭୁଲ ଇଂଜେକସନରେ ଲୋକେ ମରିବା ପରି ବିବାଦରେ ଛନ୍ଦି ହୋଇଛନ୍ତି ସ୍ବାସ୍ଥ୍ୟ ଓ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଲୋକେ ମରିବା, ଆଳୁ ସଙ୍କଟ ସମୟରେ ବିବାଦୀୟ ବୟାନ, ରାସନ କାର୍ଡ଼ ବିବାଦ ଓ ଗଣମାଧ୍ୟମରେ ବିବାଦୀୟ ବୟାନ ଦେଇ ବଦନାମ ହୋଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେହିପରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରବି ନାୟକ, ପ୍ରଦୀପ ବଳସାମନ୍ତଙ୍କ ରିପୋର୍ଟ କାର୍ଡ଼ ମାର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଜୋର ଧରିଛି । ଯେଉଁ ମନ୍ତ୍ରୀମାନଙ୍କ ବିଫଳତା ଯୋଗୁଁ ସବୁବେଳେ ସରକାର ବଦନାମ ଓ ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ ବିଭାଗ ପରିବର୍ତ୍ତନ ଓ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଅଧିକ ଖୋରାଜ ଯୋଗଇଛି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ଓ ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ । ବିଜେପି ବିଧାୟକ କିନ୍ତୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାପିଚୁପି ବୟାନ ରଖିଛନ୍ତି ।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ସରକାର ୧୩ମାସ ହେବ ଚାପରେ ଅଛି।ତାହାରି ଭିତରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟକାଳପ ପାଇଁ ବଦନାମ ହୋଇଛି ବିଜେପି ସରକାର। ନିଜ ବିଭାଗର ଦାୟିତ୍ବ ସଠିକ ଭାବେ ତୁଳାଇପାରୁନଥିବାରୁ ଅଯଥା ବିବାଦ ମୁଣ୍ଡ ଟେକୁଛି ସରକାରଙ୍କ ବିରୋଧରେ। ତେଣୁ ଭାବମୃତ୍ତି ସଜାଡିବାକୁ ମୋହନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ୬ଟି ମନ୍ତ୍ରିପଦ ଖାଲି ପଡିବା ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି । ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଅଧିକାଂଶ ମନ୍ତ୍ରୀ ୧୩ ମାସରେ ବିବାଦରେ ଛନ୍ଦି ହୋଇପଡିଛନ୍ତି। ସାମ୍ଭାବ୍ୟ ମନ୍ତ୍ରୀ ତାଲିକା ଆଗରେ ଅଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ଇରାଶିଷ ଆଚାର୍ଯ୍ୟ, ସୀମାରାଣୀ ନାୟକ, ମନୋରଜଂନ ଦ୍ୟାନ ସାମନ୍ତରାୟ, ସରୋଜ ପାଢୀ, ଦୁର୍ଗା ଚରଣ ନାୟକ ପ୍ରମୁଖ।