ମହମ୍ମଦ ସିରାଜଙ୍କ ବଦାନ୍ୟତା, ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କଲେ ପୁରସ୍କାର ରାଶି

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ସିରାଜ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ୬ ୱିକେଟ୍ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ । ମହମ୍ମଦ ସିରାଜ ଖେଳ ସରିବା ପରେ ମହାନତା ଦେଖାଇଛନ୍ତି । ପ୍ଲେୟାର ଅଫ୍ ଦ ମ୍ୟାଚ୍ ବାବଦକୁ ମିଳିଥିବା ପୁରସ୍କାର ରାଶିକୁ ସେ ଦାନ କରି ଦେଇଛନ୍ତି । ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ସେ ତାଙ୍କର ପୁରସ୍କାର ରାଶି ସମର୍ପିତ କରିଦେଇଛନ୍ତି । ସିରାଜଙ୍କୁ ପ୍ରାୟ ୪ ଲକ୍ଷ ୧୫ ହଜାର ଭାରତୀୟ ଟଙ୍କା ମିଳିଥିଲା । ସିରାଜ ଏହି ଅବସରରେ କହିଛନ୍ତି, ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ହୋଇଛି । ସେଥିପାଇଁ ମୁଁ ଏହାକୁ ସେମାନଙ୍କୁ ସମର୍ପିତ କରୁଛି ।

ତେବେ ସେ ଏହି ପୁରସ୍କାର ରାଶି ପ୍ରଦାନ କରି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କର ଏହି ମହାନତା ପାଇଁ ସବୁଆଡ଼ୁ ଶୁଭେଚ୍ଛା ଜଣାଯାଇଛି । ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସିରାଜ ସର୍ବାଧିକ ୬ଟି ୱିକେଟ୍ ଅକ୍ତିଆର କରିଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଲଆଉଟ୍ ହୋଇଯାଇଥିଲା । ୬.୨ ଓଭରରେ ଭାରତ ବିନା ୱିକେଟ୍ ହରାଇ ୫୧ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଏଥିସହିତ ଭାରତ ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଛି ।