ପାକିସ୍ତାନ ବିପକ୍ଷ ମ୍ୟାଚରେ ନଖାଇ ଖେଳିବେ ମହମ୍ମଦ ସାମି !

1 min read

ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି ହାଇଭୋଲଟେଜ୍ ମ୍ୟାଚ । ଚାମ୍ପିୟନ୍ସ ଟ୍ରଫିର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଉପରେ ରହିଛି ସମଗ୍ର ବିଶ୍ବବାସୀଙ୍କ ନଜର । ତେବେ ଭାରତୀୟ ଦଳର ବୋଲିଂ କଥା ଯଦି କହିବା ତାହେଲେ ମହମ୍ମଦ ସାମିଙ୍କ ଉପରେ ଦଳ ଅଧିକ ଭରସା ରଖିଛି । ବୁମରାଙ୍କ ଅନୁପସ୍ଥିତିରେ ଦଳ ସାମିଙ୍କୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି । ତେବେ ବାଂଲାଦେଶ ବିପକ୍ଷ ଘାତକ ବୋଲିଂ କରିଥିବା ସାମି ପାକିସ୍ତାନକୁ ଧୂଳି ଚଟାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ତେବେ କୁହାଯାଉଛି କି, ସାମି ଆଜିର ମ୍ୟାଚରେ ଅଖିଆ ଖେଳିବେ । ଯଦିଓ ସେ ଫଳ ଖାଇବେ ତଥାପି କୌଣସି ଭାତ କିମ୍ବା ରୁଟି ଖାଇବେ ନାହିଁ ବୋଲି କୁହାଯାଉଛି ।

ଖବରକୁ ଯଦି ବିଶ୍ବାସ କରାଯାଏ ତାହେଲେ ଏବେ ସାମି ଦିନକୁ ମାତ୍ର ଥରେ ଖାଉଥିବା ସେ ନିଜେ କହିଛନ୍ତି । ଆହତ ହୋଇ ଦଳରୁ ଦୂରରେ ରହିଥିଲେ । ପୁଣିଥରେ ଦଳକୁ ଫେରିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ନିଜର ପ୍ରିୟ ଖାଦ୍ୟ ବିରିୟାନୀକୁ ମଧ୍ୟ ଦୂରେଇ ଦେଇଥିଲେ ସାମି । ଏହାସହ ନବଜୋତ ସିଦ୍ଧୁଙ୍କ ପ୍ରଶ୍ନରେ ସାମି କହିଥିଲେ କି, ସେ ୧୦ ବର୍ଷ ହେବ ଦିନକୁ ମାତ୍ର ଥରେ ଖାଉଛନ୍ତି । ଓଜନ କମାଇବା ପାଇଁ ବହୁ ସଂଘର୍ଷ କରୁଥିବା ସାମି ଏବେ ୯ କିଲୋରୁ ଅଧିକ ଓଜନ କମାଇଥିବା କହିଥିଲେ ।