ଏନର୍ଜି ଡ୍ରିଙ୍କ ବିବାଦ : ମହମ୍ମଦ ସାମିଙ୍କ ସପକ୍ଷରେ ବାହାରିଲେ ଶାମା ମହମ୍ମଦ
1 min read
ନୂଆଦିଲ୍ଲୀ ; କ୍ରିକେଟର ମହମ୍ମଦ ସାମିଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତ୍ରୀ ଶାମା ମହମ୍ମଦ । ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ବେଳେ ରୋଜା ପାଳନ ନ କରିବା କାରଣରୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା ସାମିଙ୍କୁ ସମର୍ଥନ କରିଛନ୍ତି ଶାମା । ଦୁବାଇରେ ଚାଲିଥିବା ମ୍ୟାଚ ବେଳେ ସାମି ଏନର୍ଜି ଡ୍ରିଙ୍କ ନେବା ପରେ ବିବାଦ ଉପୁଜିଥିଲା । ଏପରିକି ଅଲ ଇଣ୍ଡିଆ ମୁସଲିମ ଜମାତ ସଂଗଠନର ସଭାପତି ମୌଲାନା ଶାହାବୁଦ୍ଦିନ ରାଜଭି ବେରେଲଭି ସାମିଙ୍କୁ ଜଣେ ଅପରାଧୀ ବୋଲି ଚିତ୍ରଣ କରିଥିଲେ । ସାମିଙ୍କୁ ସମର୍ଥନ କରି ଶାମା କହିଛନ୍ତି- ଯାତ୍ରା ବେଳେ କିମ୍ବା ଶାରୀରିକ କାର୍ଯ୍ୟକଳାପ ବେଳେ ଉପବାସ ଜରୁରୀ ନୁହେଁ ବୋଲି ଇସଲାମ ଧର୍ମରେ ରହିଛି । ମହମ୍ମଦ ସାମି ନିଜ ଜାଗାରେ ନଥିଲେ ଏବଂ ସେ ଯାତ୍ରା ଅର୍ଥାତ ବିଦେଶ ଗସ୍ତରେ ଥିଲେ । ସେ ଖେଳୁଥିବାରୁ ତାଙ୍କୁ ଶୋଷ ଲାଗିବ । ସେ ଡ୍ରିଙ୍କ ନେଇ କିଛି ଭୁଲ୍ କରିନାହାନ୍ତି । ଇସଲାମ ଏକ ବିଜ୍ଞାନଭିତ୍ତିକ ଧର୍ମ ବୋଲି କହିଛନ୍ତି ଶାମା । ସେପଟେ ମୌଲାନା ଶାହାବୁଦ୍ଦିନ କହିଛନ୍ତି- ଇସଲାମରେ ଉପବାସ ଏକ କର୍ତ୍ତବ୍ୟ । ଯଦି କେହି ଜାଣିଶୁଣି ଉପବାସ ନକରେ ତେବେ ସେମାନେ ପାପୀ । ସାମି ଜଣେ ଅପରାଧୀ । ତେଣେ ଶାମା ମହମ୍ମଦଙ୍କୁ ସମର୍ଥନ କରିଛନ୍ତି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ଖାଲିଦ ରସିଦ ଫାରଙ୍ଗି ମାହଲି । ସେ କହିଛନ୍ତି ଯେଉଁମାନେ ଯାତ୍ରା କରୁଛନ୍ତି ସେମାନେ ଅସୁସ୍ଥ ନହେବା ଲାଗି ଉପବାସ ନକରିବା ସକାଶେ କୋରାନ ଅନୁମତି ଦେଇଥାଏ । ସାମି ଟୁରରେ ଥିବାରୁ ସେ ଉପବାସରେ ରହିବେ କି ନରହିବେ ତାହାତାଙ୍କ ଉପରେ ନିର୍ଭର କରେ । ତାଙ୍କ ନିଷ୍ପତ୍ତି ଉପରେ କେହି ପ୍ରଶ୍ନ କରିବା ଅନୁଚିତ । ପୂର୍ବରୁ କ୍ୟାପଟେନ ରୋହିତ ଶର୍ମାଙ୍କ ମୋଟାପଣ ପ୍ରସଙ୍ଗରେ ମତ ଦେଇ ବିବାଦ ଘେରକୁ ଆସିଥିଲେ ଶାମା ମହମ୍ମଦ ।