spot_img

Latest Posts

କରୋନା ଟିକା ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ବୈଜ୍ଞାନିକଙ୍କ ସହ କଲେ ଆଲୋଚନା…

କରୋନା ଟିକାର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଶନିବାର ତିନୋଟି  ସହରକୁ ଗସ୍ତ କରୁଛନ୍ତି । ଭାରତରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ଓ ଏହାର ବିତରଣ ନେଇ ଜୋର ସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ୍ ବାୟୋଟେକ୍‌ ପାର୍କ ଗସ୍ତ କରି ‘ଜାଇକୋଡ-ଭି’ ଟିକାର ସମୀକ୍ଷା କରିଛନ୍ତି । ଏହାପରେ ସେ ହାଇଦ୍ରାବାଦରେ ପହଁଚି ଭାରତ ବାୟୋଟେକ ଲ୍ୟାବ୍ ଭ୍ରମଣ କରିଛନ୍ତି ।

ସେଠାରୁ ସେ ପୁଣେ ଗସ୍ତ କରି ସିରମ ଇନଷ୍ଟିଚ୍ୟୁଟ ଯିବେ  । ସେଠାରେ ବୈଜ୍ଞାନିକଙ୍କ ସହ କଥା ହୋଇ ଟିକାର ସମୀକ୍ଷା କରିବେ  । ମୋଦିଙ୍କର ଏହି ନନଷ୍ଟପ ଟିକା ସମୀକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଧା ଟିକା ଆସିଯିବ ବୋଲି କୁହାଯାଉଛି  । ଏଯାବତ୍ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ମୋଦି ଅହମଦାବାଦ ବିମାନ ବନ୍ଦରରୁ ଜାଇଡସ୍‌ ବାୟୋଟେକ୍‌ ପାର୍କରେ ଯାଇ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ମୋଦି ଟିକା ପ୍ରସ୍ତୁତି ନେଇ ଗବେଷକ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ଟିକା ଉତ୍ପାଦନରେ ଅଗ୍ରଗତି ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ୍‌ରେ ପହଞ୍ଚି ‌ସେଠାରେ ଥିବା ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ୍‌ ସଂସ୍ଥାରେ ପହଞ୍ଚିଛନ୍ତି । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରରେ ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କର ଅହମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ ସଂପର୍କରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ୩ଟି ସହର ଗସ୍ତ କରି ବ୍ୟକ୍ତିଗତ ଭାବେ ଟିକାର ବିକାଶ, ପ୍ରସ୍ତୁତି ଏବଂ ସ୍ଥିତି ସମୀକ୍ଷା କରୁଛନ୍ତି। ଏହି ତିନି କମ୍ପାନୀର ଟିକା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି।

Latest Posts

Don't Miss