କାଶୀ ବିଶ୍ୱନାଥ ମନ୍ଦିରରେ ନରେନ୍ଦ୍ର ମୋଦି

କାଶୀ : ଧାର୍ମିକ ଏବଂ ସାଂସ୍କୃତିକସ୍ଥଳ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ କରିଡରର ଉଦଘାଟନ ନିମନ୍ତେ ବାରଣାସୀ ଗସ୍ତ କରିଥିବା ଦେଖାଯାଇଛି । ଏୟାରପୋର୍ଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦିଙ୍କୁ ସ୍ୱାଗତ ଜଣାଇବା ସହ ଦୀର୍ଘ ୫ ସ୍କୋୟାରଫୁଟର କାଶୀଧାମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ୨୩ ଟି ଛୋଟ ବଡ଼ ଅଟ୍ଟାଳିକା ଏବଂ ୨୭ ଟି ମନ୍ଦିର ବିଶିଷ୍ଟ ଏହି କରିଡରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କରିଡର ୫୦ ହଜାର ବର୍ଗ ମିଟର ପରିସର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଠାରେ ୪ଟି ବଡ଼ ପ୍ରବେଶ ଦ୍ୱାର ଥିବା ବେଳେ ୨୨ଟି ଶିଳାଲେଖ ନିର୍ମାଣ କରାଯାଇଛି ଯେଉଁଥିରେ କାଶୀଧାମର ମହିମା ଉଲ୍ଲେଖ ଅଛି ।

ପ୍ରଧାନମନ୍ତ୍ରୀ କାଶୀସ୍ଥିତ ଲଳିତ ଘାଟରେ ପହଞ୍ଚି ଗେରୁଆ ବସ୍ତ୍ର ଧାରଣ କରି ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇଥିଲେ । ଏହାପରେ କାଶୀଧାମସ୍ଥିତ ବାବା ବିଶ୍ୱନାଥଙ୍କ ଜଳାଭିଷେକ ନିମିତ୍ତ ଗଙ୍ଗାଜଳ ସଂଗ୍ରହ କରିଥିବା ସୂଚନା ମିଳିଛି । ବାବା ବିଶ୍ୱନାଥଙ୍କ ଜଳାଭିଷେକ ପରେ କରିଡରର ଶୁଭାରମ୍ଭ କରାଯିବ । କରିଡର ପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଶହ ୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋଦିଙ୍କ ଆଗମନ ପାଇଁ କେନ୍ଦ୍ର ସରକାର ଏବଂ ୟୁପି ସରକାର ବିଶାଳ ଆୟୋଜନ କରିଥିବାର ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଜେପି ଶାସିତ ରାଜ୍ୟର ୧୨ ଜଣ ମୁଖ୍ୟମନ୍ତ୍ରୀ ଏବଂ ୯ ଜଣ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି ।

Leave a Reply