୯୨ରେ ପଦାର୍ପଣ କଲେ ‘୯୨ର ନାୟକ’
1 min readନୂଆଦିଲ୍ଲୀ : ଭାରତୀୟ ରାଜନୀତିର ହିନ୍ଦୁତ୍ୱ ହିରୋ, ୧୯୯୨ ଅଯୋଧ୍ୟା ଆନ୍ଦୋଳନର ନାୟକ ଲାଲକୃଷ୍ଣ ଆଡଭାନୀ ୯୨ ବର୍ଷରେ ପଦାର୍ପଣ କରିଛନ୍ତି । ବିଜେପିର ଲୌହ ପୁରୁଷ ଭାବେ ପରିଚିତ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା । ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ବିଜେପିକୁ ଆଜି ଯେଉଁ ସଫଳତା ମିଳିଛି ତାର ପରୋକ୍ଷ ନାୟକ ଥିଲେ ଲାଲକୃଷ୍ଣ ଆଡଭାନୀ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି କରି କରି ୧୯୯୦ରେ ଗୁଜରାଟ ସୋମନାଥରୁ ଆରମ୍ଭ କରିଥିବା ରଥଯାତ୍ରା ଭାରତର କୋଣ ଅନୁକୋଣରେ ବିଜେପିକୁ ବଡ଼ ପରିଚୟ ଦେଇଥିଲା । ରଥଯାତ୍ରା ଜରିଆରେ ସେ ଯେଉଁ ହିନ୍ଦୁତ୍ୱ ରାଜନୀତିର ଭିତ୍ତି ପକାଇଥିଲେ ତାହା ଉପରେ ଠିଆ ହୋଇ ବିଜେପି ଆଜି ସଫଳତାର ଶୀର୍ଷଦେଶ ଛୁଇଁଛି ।
୧୯୨୭ ମସିହା ନଭେମ୍ବର ୮ ତାରିଖରେ ଅବିଭକ୍ତ ଭାରତର ସିନ୍ଧ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ଲାଲକୃଷ୍ଣ ଆଡଭାନୀ । ଦେଶ ବିଭାଜନ ପରେ ତାଙ୍କ ପରିବାର ମୁମ୍ବାଇ ଚାଲିଆସିଥିଲେ । ଆଇନ୍ରେ ଶିକ୍ଷା ପ୍ରାପ୍ତ ଆଡଭାନୀ ୧୪ ବର୍ଷ ବୟସରୁ ସଂଘ ପରିବାରରେ ସାମିଲ ହୋଇଥିଲେ । ୧୯୫୧ରେ ଜନସଂଘ, ୧୯୭୭ରେ ଜନତା ପାର୍ଟି ଓ ୧୯୮୦ରେ ବିଜେପି ଗଠନରେ ତାଙ୍କର ପ୍ରମୁଖ ରହିଥିଲା । ୧୯୮୪ରେ ବିଜେପି ମାତ୍ର ୨ଟି ଲୋକସଭା ଆସନରୁ ନିଜର ଯାତ୍ରା ଆରମ୍ଭ କରି ଏବେ ୩୦୩ ଆସନରେ ପହଞ୍ଚି ଯାଇଛି । ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ଆଧିପତ୍ୟ ବିସ୍ତାର କରିପାରିଥିଲେ ଆଡଭାନୀ । ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଥିଲା । କ୍ଷମତାରେ ଥିବା ବେଳେ ଓ ବିରୋଧୀ ଦଳରେ ଥିବା ବେଳେ ନିଜ ରାଜନୈତିକ ପରିପକ୍ୱତା ଦେଖାଇ ଶତ୍ରୁ-ମିତ୍ର ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ ଆଡଭାନୀ ।
୧୯୯୨ର ନାୟକ ଆଜି ୯୨ ବର୍ଷରେ ରାଜନୀତିର କୋଳାହଳଠାରୁ ବହୁ ଦୂରରେ । ରାଜନୈତିକ ଓ ସାମାଜିକ ଜୀବନରୁ ଦୂରେଇ ରହିଛନ୍ତି । ଏବେ ଏକାନ୍ତ ଜୀବନ କାଟୁଥିବା ସ୍ୱାଧୀନ ପରବର୍ତ୍ତୀ ଭାରତୀୟ ରାଜନୀତିର ଅନ୍ୟତମ ସଫଳ ବ୍ୟକ୍ତିତ୍ୱ ଲାଲକୃଷ୍ଣ ଆଡଭାନୀ ଶତାୟୁ ହୁଅନ୍ତୁ ଏହା ହିଁ କାମନା । ')}