ଭାରତ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ମିଳିତ ବିବୃତି, କହିଲେ ଋଷ-ୟୁକ୍ରେନ ସଂଘର୍ଷର ତୁରନ୍ତ ଘଟୁ ଅନ୍ତ

1 min read

ପ୍ୟାରିସ: ଋଷ-ୟୁକ୍ରେନ ସଂଘର୍ଷର ତୁରନ୍ତ ଅବସାନ ହେଉ ଏବଂ ମାନବିକ ଦୁର୍ଦ୍ଦଶାର ଅନ୍ତ ଘଟୁ ବୋଲି ଆହ୍ବାନ ଦେଇଛନ୍ତି ଭାରତ ଓ ଫ୍ରାନ୍ସ । ଏନେଇ ପ୍ୟାରିସରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟରେ ଏକ ମିଳିତ ବିବୃତି ଜାରି ହୋଇଛି । ଯୁଦ୍ଧ ଯୋଗୁ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି ଏବଂ ବିଶ୍ବରେ ଖାଦ୍ୟାଭାବ ଚରମ ରୂପ ନେଲାଣି ବୋଲି ବିବ଼ୃତିରେ ପ୍ରକାଶିତ ହୋଇଛି ।

ସେପଟେ ୟୁକ୍ରେନରେ ଋଷ ସୈନ୍ୟ ଥିବା ପର୍ଯ୍ୟନ୍ତ ମସ୍କୋ ସହ କୌଣସି ପ୍ରକାର ଚୁକ୍ତି ହେବ ନାହିଁ । ୟୁକ୍ରେନ ମାଟିରୁ ଋଷ ସୈନ୍ୟଙ୍କୁ ହଟାଇବା ଲାଗି ୟୁକ୍ରେନ ସୈନ୍ୟ ସଂଘର୍ଷ କରିବେ ଏବଂ ଦେଶର ସୀମାଗତ ସାର୍ବଭୌମତ୍ୱ ରକ୍ଷା ଲାଗି ୟୁକ୍ରେନ ଉଦ୍ୟମ କରିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ୟୁକ୍ରେନରେ ଋଷ ସୈନ୍ୟ ଥିବା ଯାଏ ସେ ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ନେଇ ନାଟୋ ଉପରେ ଦୋଷ ଢ଼ାଳିଛନ୍ତି ପୋପ୍ ଫ୍ରାନସିସ । ଋଷ ପ୍ରତି ନାଟୋର ବୈମାତୃକ ମନୋଭାବ ହିଁ ଯୁଦ୍ଧର କାରଣ ସାଜିଲା ବୋଲି ସେ କହିଛନ୍ତି ।

ଅନ୍ୟପଟେ ଯୁଦ୍ଧର ଅବସ୍ଥା ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ, ପୁଣି ମାରିୟୁପୋଲ ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରେ ଆରମ୍ଭ ହୋଇଛି ସଂଘର୍ଷ । ୧୦୦ ବିପନ୍ନଙ୍କୁ ଉଦ୍ଧାର ପରେ ପୁଣି ଦୁଇ ପକ୍ଷ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଉଦ୍ଧାର ପ୍ରକ୍ରିୟା ଠପ୍ ହୋଇଛି । ତୁରନ୍ତ ଉଦ୍ଧାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ଜାତିସଂଘକୁ ଅନୁରୋଧ କରିଛନ୍ତି ଜେଲେନସ୍କି । ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସେ ମାନବିକ ସଂକଟ ସମ୍ପର୍କରେ ଅବଗତ କରାଇବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆହ୍ବାନ ଜଣାଇଛନ୍ତି । ସେହିପରି ୟୁକ୍ରେନର ଅଣସାମରିକ କ୍ଷେତ୍ର ଉପରେ ଋଷ ଆକ୍ରମଣ କରୁଥିବା ନେଇ ଅଭିଯୋଗ କରିଛି ବ୍ରିଟେନ । ବିଭିନ୍ନ ଜନବସତି ଉପରେ ଋଷ କ୍ଷେପଣାସ୍ତ୍ର ମାଡ଼ କରୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି କହିଛି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ।