ଆଗାମୀ ୫ ବର୍ଷ ଗରିବଙ୍କୁ ମାଗଣା ରାସନ, ମହିଳାଙ୍କୁ ଡ୍ରୋନ ଉଡାଇବାକୁ ଟ୍ରେନିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ । ଏ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଓ ଅନ୍ନ ଯୋଜନାକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି  । ଏହି ଯୋଜନା ନୂଆବର୍ଷରୁ ଲାଗୁ ହେବ  । ଏହା ଛଡା ଡ୍ରୋନ ସଖୀ ଯୋଜନାକୁ ମଞ୍ଜୁରୀ ମିଳିଛି  । ଏହି ଯୋଜନାରେ ମହିଳାଙ୍କୁ ଡ୍ରୋନ ଉଡାଇବା ପାଇଁ ଟ୍ରେନିଂ ଦିଆଯିବ  । ଡ୍ରୋନ ମାଧ୍ୟମରେ ଚାଷଜମିରେ ସାର ସିଞ୍ଚନ କରାଯିବ  ।

ଡ୍ରୋନ ଉଡାଇବା ପାଇଁ ମହିଳାଙ୍କୁ ପ୍ରତି ମାସରେ ୧୫ ହଜାର ଟଙ୍କା ଓ ତାଙ୍କ ସହଯୋଗୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ୨୦୨୬ ପର୍ଯ୍ୟନ୍ତ ଏହି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରାଯିବ  । କ୍ୟାବିନେଟ ବୈଠକରେ ୧୬ ତମ ବିତ୍ତ ଆୟୋଗକୁ ମନ୍ତ୍ରିମଣ୍ଡଳ ଟର୍ମ ଅଫ ରେଫରେନ୍ସର ଅନୁମୋଦନ ଦେଇଛି । ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ତ୍ତମାନ ଆୟୋଗର କାର୍ଯ୍ୟକାଳ ରହିଛି ।

ସେହିପରି ମୋଦି ସରକାରଙ୍କ ଅନ୍ନ ଯୋଜନାରେ ଗରିବଙ୍କୁ ୫ କିଲୋଗ୍ରାମ ମାଗଣା ଖାଦ୍ୟସଶ୍ୟ ମିଳିବ  । ଏହା ଦ୍ବାରା ୮୧ କୋଟି ଭାରତୀୟ ଉପକୃତ ହେବେ  । ଆଗାମୀ ୫ ବର୍ଷ ପାଇଁ ସରକାର ଏଥିପାଇଁ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ  ।