ସରିଲା ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ। ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀରୁ ମସ୍କୋ ଫେରିଗଲେ ରାଷ୍ଟ୍ରପତି ପୁଟିନ। ଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ରାତ୍ରୀ ନୈଶ ଭୋଜି ପରେ ରୁଷ ଫେରି ଯାଇଛନ୍ତି ରାଷ୍ଟ୍ରପତି ପୁଟିନ। ଦିଲ୍ଲୀ ପାଲମ ଏୟାରପୋର୍ଟରେ ପୁଟିନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପୁଟିନଙ୍କ ଭାରତ ଗସ୍ତ କାଳରେ ୧୯ଟି ଚୁକ୍ତି ସ୍ଵାକ୍ଷରିତ ହୋଇଛି। ସ୍ଵାକ୍ଷରିତ ହୋଇଛି ଅନେକ ବଡ଼ ଡିଲ୍। ପ୍ରତିରକ୍ଷା, ଶିକ୍ଷା, ସ୍ଵାସ୍ଥ୍ୟ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଭାଗିତା ନେଇ ସହମତ ହୋଇଛନ୍ତି ଦୁଇ ଦେଶ। ୨୦୩୦ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଜାରି ରହିବ ଆର୍ଥିକ ସହଯୋଗ।
ଭାରତର ଆତଙ୍କବାଦ ବିରୋଧୀ ଲଢେଇକୁ ସମର୍ଥନ ଜଣାଇଥିଲେ ରାଷ୍ଟ୍ରପତି ପୁଟିନ। ଭାରତ-ରୁଷ ମଧ୍ୟରେ ଦୀର୍ଘ ୮ ଦଶନ୍ଧିର ବନ୍ଧୁତା ଧ୍ରୁବ ତାରା ସଦୃଶ ସ୍ଥିର ରହିଛି କହିଥିଲେ ପିଏମ ମୋଦି। ଏହି ଅବସରରେ ପିଏମ ମୋଦିଙ୍କୁ ରୁଷରେ ହେବାକୁ ଥିବା ଶିଖର ସମ୍ମିଳନୀ ଲାଗି ଆମନ୍ତ୍ରଣ କରିଛନ୍ତି ପୁଟିନ। ଗତକାଲି ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ରୁଷ ରାଷ୍ଟ୍ରପତିଙ୍କୁ ନିଜେ ସ୍ଵାଗତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ସେଠାରେ ପୁଟିନଙ୍କ ପାଇଁ ଦିଆଯାଇଥିଲା ୨୧ ତୋପ ସଲାମୀ।
ହାଇଦ୍ରାବାଦ ହାଉସରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ରୁଷ ରାଷ୍ଟ୍ରପତି ପୁଟିନ। ଅପରାହ୍ନରେ ଭାରତ-ରୁଷ ବିଜନେସ ଫୋରମକୁ ସମ୍ବୋଧିତ କରିଥିଲେ ଉଭୟ ରାଷ୍ଟ୍ରମୁଖ୍ୟ। ଏହି ଅବସରରେ ଯୋଗ ଦେଇଥିଲେ ଦେଶ ତଥା ବିଦେଶର ବିଶିଷ୍ଟ ଶିଳ୍ପପତି ଓ ଉଦ୍ୟୋଗୀ।ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ ରାତ୍ରି ନୈଶ ଭୋଜି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
କଣ ଉପହାର ଦେଲେ ପ୍ରଧାନମନ୍ତ୍ରୀ
ଭାରତ ଗସ୍ତ ଅବସରରେ ରୁଷ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିଛନ୍ତି। ଏହି ଉପହାର ମଧ୍ୟରେ ରହିଛି। ଆସାମର କଳା ଚା ବା ବ୍ଲାକ୍ ଟି। ବ୍ରହ୍ମପୁତ୍ରର ଉର୍ବର ସମତଳ ଭୂମିରେ ଚାଷ କରାଯାଉଥିବା ଆସାମର ଏହି କଳା ଏହାର ସ୍ୱାଦ ପାଇଁ ଜଣାଶୁଣା। 2007 ମସିହାରେ ଏହି ଚାହାକୁ GI ଟ୍ୟାଗ୍ ମିଳିଥଲା। ଅନ୍ୟ ଏକ ଉପହାର ମଧ୍ୟରେ ରହିଛି ରୂପା ଚା ସେଟ୍। ଅତି ସୂକ୍ଷ୍ମ କାରୁକାର୍ଯ୍ୟରେ ଖୋଦିତ ମୁର୍ଶିଦାବାଦର ରୂପା ଚା ସେଟ୍ ପଶ୍ଚିମବଙ୍ଗର ସମୃଦ୍ଧ କଳାକୃତିର ନିଦର୍ଶନ। ଭାରତ ଏବଂ ଋଷ ମଧ୍ୟରେ ଚା’ର ଗଭୀର ସାଂସ୍କୃତିକ ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି। ଆଉ ଏହ ଉପହାର ହେଉଛି ରୂପାରେ ନର୍ମତ ଘୋଡା। ମହାରାଷ୍ଟ୍ରର ଏହି ହାତନିର୍ମିତ ରୂପା ଘୋଡାରେ ସୁନ୍ଦର କାରୁକାର୍ଯ୍ୟ ରହିଛି।
ଏହା ଭାରତର ଧାତୁ ହସ୍ତଶିଳ୍ପ ପରମ୍ପରାର ଉତ୍କର୍ଷତାକୁ ପ୍ରଦର୍ଶନ କରୁଛି। ଭାରତ ଏବଂ ରୁଷ ସଂସ୍କୃତିରେ ମର୍ଯ୍ୟାଦା ଏବଂ ବୀରତ୍ୱର ପ୍ରତୀକ ଏହି ଘୋଡ଼ା। ଅନ୍ୟ ଏକ ଉପହାର ମଧ୍ୟରେ ରହିଛି ମାର୍ବଲ୍ ଚେସ୍ ସେଟ୍। ଆଗ୍ରାର ଏହି ହାତନିର୍ମିତ ମାର୍ବଲ୍ ଚେସ୍ ସେଟ୍ ଉତ୍କୃଷ୍ଟ କାରିଗରୀ ଏବଂ ସୌନ୍ଦର୍ଯ୍ୟର ମିଶ୍ରଣ। ଯାହା ଏହି ଅଞ୍ଚଳର ପଥର ଜଡ଼ିତ ଐତିହ୍ୟକୁ ବର୍ଣ୍ଣନା କରୁଛି। ଏହି ସେଟ୍ ଉତ୍ତର ଭାରତୀୟ କଳାକୃତିକୁ ଦର୍ଶାଉଛି। ମାର୍ବଲ, କାଠ ଏବଂ ମୂଲ୍ୟବାନ ପଥରର ମିଶ୍ରଣ ଏହା ନିର୍ମିତ ହୋଇଛି। ଆଉ ଏକ ଉପହାର ହେଲା କାଶ୍ମୀର କେସର। ଯାହାକୁ ସ୍ଥାନୀୟ ଭାବେ କଙ୍ଗ୍ କିମ୍ବା ଜାଫ୍ରାନ୍ ଭାବରେ ଜଣାଶୁଣା। କାଶ୍ମୀରର ପାର୍ବତ୍ୟାଞ୍ଚଳରେ ଚାଷ କରାଯାଏ ଏହି କେଶର। ଏହାର ରଙ୍ଗ, ସୁଗନ୍ଧ ଏବଂ ସ୍ୱାଦ ପାଇଁ ଜଣାଶୁଣା। ଏହାସହ ପୁଟିନଙ୍କୁ ରୁଷୀୟ ଭାଷାରେ ଲିଖିତ ଏକ ଶ୍ରୀମଦ୍ ଭାଗବତ ଗୀତା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ।

