ଓଡ଼ିଶାରେ ତିନିଦିନ ରହିଲେ ହେଲେ ମାଣ୍ଡିପଙ୍କାକୁ ଭୁଲିଗଲେ ମୋଦି

ଭୁବନେଶ୍ବର: ଓଡ଼ିଶାରେ ତିନି ଦିନ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ତିନି ଆଦିବାସୀଙ୍କ ମୃତ୍ୟୁ ଘଟଣା ହେଉ କି ପୂର୍ବତଟ ରେଳବାଇ ଜୋନ ସଂକୁଚିତ କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ କିଛି ବି ଆଲୋଚନା କଲେ ନାହିଁ । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଥିବା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଦୁଇଟି ପ୍ରସଙ୍ଗରେ ତାଙ୍କୁ ଚିଠି ଲେଖିଥିଲେ। କିନ୍ତୁ ନା ଉତ୍ତର ମିଳିଲା ନା ପ୍ରଧାନମନ୍ତ୍ରୀ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ । ରାଜ୍ୟର ସ୍ବାର୍ଥ ସମ୍ପର୍କିତ ଦୁଇଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ଜେନା ଓ ବାମ ନେତା ।

ଆମ୍ଵ ଟାକୁଆ ଜାଉ ଖାଇ କନ୍ଧମାଳ ମାଣ୍ଡିପଙ୍କାର ୩ ଆଦିବାସୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଓଡ଼ିଶା ଆସି ମଧ୍ୟ ନୀରବ ରହିଲେ ମୋଦି । ଓଡ଼ିଶାରେ ୩ ଦିନ ରହିବା ସତ୍ତ୍ଵେ ପାଟି ଚୁପ୍ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଥିବା ସମୟରେ ମାଣ୍ଡିପଙ୍କାର ଖାଦ୍ୟାଭାବ ନେଇ ମୋଦିଙ୍କୁ ଚିଠି ଲେଖିଥିଲି । ନା ମୁଖ୍ୟମନ୍ତ୍ରୀ ମାଣ୍ଡିପଙ୍କା ଗଲେ, ନା ପ୍ରଧାନମନ୍ତ୍ରୀ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ । ଏଥିପାଇଁ କଡ଼ା ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ଜେନା ।

ମାଣ୍ଡିପଙ୍କାର ଆଦିବାସୀଙ୍କୁ ମୋଦି ସମବେଦନା ମଧ୍ୟ ଜ୍ଞାପନ କରି ନଥିବାରୁ ତାଙ୍କ ଉପରେ ବର୍ଷିଛି ସିପିଏମ୍ । ଆମ୍ଵ ଟାକୁଆ ମୃତ୍ୟୁ ପାଇଁ ସିଧାସଳଖ ବିଜେପି ସରକାରକୁ ଦାୟୀ କରି ସିପିଏମ୍ କହିଛି, ପିଡିଏସ ଚାଉଳ ବନ୍ଦ କରାଯିବାରୁ ଏତେ ବଡ଼ ଘଟଣା ଘଟିଛି । ବୋଧହୁଏ ଆଦିବାସୀଙ୍କୁ ଏହା ହେଉଛି ବିଜେପି ସରକାରର ପ୍ରଥମ ଭେଟି ।

ପୂର୍ବ ତଟ ରେଳବାଇରୁ ୱାଲଡିୟର ଡିଭିଜନକୁ ଅଲଗା କରିବା ଓ ତାକୁ ଦକ୍ଷିଣତଟ ରେଳ ଜୋନରେ ମିଶ୍ରଣ କରାଯାଇଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶ୍ରୀକାନ୍ତ ଜେନା । ଏ ପ୍ରସଙ୍ଗରେ ସେ ମୋଦିଙ୍କୁ ଚିଠି ବି ଲେଖିଛନ୍ତି । ଇଷ୍ଟକୋଷ୍ଟ ରେଲୱେ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ବ ଆଦାୟ କରୁଥିଲା । ଆନ୍ଧ୍ରପ୍ରଦେଶର ସ୍ଵାର୍ଥ ରକ୍ଷା କରିବାକୁ ଯାଇ ଓଡ଼ିଶାକୁ ହତାଦର କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ଏହାର ପୁନର୍ବିଚାର କରିବାକୁ ଦାବି କରି ପୂର୍ବତନ ରେଳ ଜୋନ୍ ଅଧୀନରେ ରାୟଗଡ଼ାରେ ଆଉ ଏକ ଡିଭିଜନ ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି ।

ସୁନ୍ଦରଗଡ଼, ବାଲେଶ୍ଵର ଏବଂ ମୟୂରଭଞ୍ଜକୁ ପୂର୍ବତଟ ରେଳବାଇରେ ସାମିଲ କରିବାର ଦାବି ପୂରଣ ହେଉନି । ସେପଟେ କିନ୍ତୁ ପୂର୍ବତଟରୁ ୱାଲଟିଅର ଡିଭିଜନକୁ କାଢି ନିଆଯାଉଛି । ଏହାର ଦୃଢ ବିରୋଧ କରିବା ସହ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀକାନ୍ତ ଜେନା ।