ଜୁନ ୨୦ରେ ବିଜେପିର ବର୍ଷପୂର୍ତ୍ତି ଉତ୍ସବ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ବର୍ଷକ ମଧ୍ୟରେ ଷଷ୍ଠ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କ ସମାବେଶ ଆଶା କରାଯାଉଛି । ଆବାସ ଯୋଜନାରୁ ବଞ୍ଚିତ ଏବଂ ବିପର୍ଯ୍ୟୟର ଶିକାର ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅନ୍ତ୍ଯୋଦୟ ଗୃହ ଯୋଜନା । ଏହି ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଗୃହ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ମହାପୁରୁଷମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ରାଜ୍ୟ ସରକାରଙ୍କ ଆଉ କିଛି ନୂଆ ଯୋଜନା, ପ୍ରକଳ୍ପର ଲୋକାର୍ପଣ ବି ପ୍ରଧାନମନ୍ତ୍ରୀ କରିବାର ସମ୍ଭାବନା ରହିଛି । ଅପରାହ୍ନ ୩ଟା ବିମାନବନ୍ଦରରେ ପହଞ୍ଚିବା ପରେ ତିରଙ୍ଗା ଯାତ୍ରା ଓ ରୋଡ ସୋରେ ଲୋକଙ୍କ ଅଭିବାଦନ ଗ୍ରହଣ କରି ଜନତା ମଇଦାନରେ ପହଞ୍ଚିବେ ମୋଦି। ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ବିଜେପି ଶିବିର। ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି । ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କ ସମାଗମ ଥିବାରୁ ଉପକୂଳ ଜିଲ୍ଲାରୁ ଅଧିକ ଆସିବାର ସମ୍ଭାବନା ରହିଛି। ବର୍ଷକ ତଳେ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ବର୍ଷକ ମଧ୍ୟରେ ବିଜେପି ସରକାର ଲୋକଙ୍କ କାମ କେତେ କରିଛି, ପ୍ରତିଶୃତି କେତେ ପୂରଣ ହୋଇଛି, କେନ୍ଦ୍ରର ୧୧ବର୍ଷ ସରକାରର ଉପଲବ୍ଧି କ’ଣ? ଏ ବାବଦରେ ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ବିଜେପି କର୍ମୀ ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁଁ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା ରହିଛି ବୋଲି ସ୍ପଷ୍ଟ ହେଉଛି। ଜୁନ୍ ୨୦ ତାରିଖରୁ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉତ୍ସବରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହ ସରକାରୀ ଦଳର ପଦାଧିକାରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।