ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ରର ମୋହର, ପୁଣି ୪ ମାସ ଗରିବଙ୍କୁ ମିଳିବ ରାସନ

1 min read

ନୂଆଦିଲ୍ଲୀ: ବନ୍ଦ ହେବନାହିଁ ଗରିବ କଲ୍ୟାଣ ଅନ୍ନ ଯୋଜନା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ  ।  ଆଉ ୪ମାସ ଜାରି ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ପୁଣି ୪ ମାସ ରାସନ ଯୋଗାଇବେ କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ଯାଏ ଗରିବଙ୍କୁ ମିଳିବ ମାଗଣା ରାସନ । ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଷ୍ଟେଜ-ଥ୍ରୀ ଶେଷ ହୋଇଥିଲା ।ଆଉ ୮ ମାସ ଯୋଜନା ଜାରି ରଖିବା ସହ ରାସନ ଯୋଗାଇବାକୁ ଗତ ରବିବାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ ।

କେନ୍ଦ୍ର ସରକାର ଏହି ଯୋଜନାକୁ ଆଉ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି ।

ଚଳିତ ବର୍ଷ ମେ’ରୁ ନଭେମ୍ବର ୭ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ଲକ୍ଷ ୭୮ହଜାର ଲୋକଙ୍କୁ ମାଗଣାରେ ଚାଉଳ ଓ ଡାଲି ଦିଆଯାଉଛି । କରୋନା ସମୟରେ ଅତିରିକ୍ତ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇ ଅଗ୍ରୀମ ରାସନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

Leave a Reply