ମାର୍ଚ୍ଚ ସୁଦ୍ଧା ଆସିବ ଓମିକ୍ରନ ବିନାଶକାରୀ ଟିକା: ମଡର୍ଣ୍ଣା ସିଇଓ

1 min read

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଓମିକ୍ରନ ବିନାଶକାରୀ ଟିକା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ମଡର୍ଣ୍ଣା ସିଇଓ ଷ୍ଟିଫେନ ବାନସେଲ । ଓମିକ୍ରନ ନିରାକରଣ ଲାଗି ଗବେଷଣା କରାଯାଇଥିବା ଟିକାର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ । ଔଷଧ ନିୟାମକଙ୍କଠାରୁ ଗ୍ରୀନ ସିଗନାଲ ମିଳିଲେ ଏହା ଉପଲବ୍ଧ ହେବ ବୋଲି କହିଛନ୍ତି ଷ୍ଟିଫେନ ବାନସେଲ । ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ ଶୀର୍ଷ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ କହିଛନ୍ତି- ମଡର୍ଣ୍ଣା ସିଙ୍ଗଲ ଡୋଜ ଭାକ୍ସିନ ଉପରେ ଗବେଷଣା କରୁଛି । ଯାହାକି କୋଭିଡ ଟିକା ସହ ବୁଷ୍ଟର ଡୋଜ ଭାବେ ବି କାମ କରିବ । ଏହି ଧରଣର ଟିକା ୨୦୨୩ ସୁଦ୍ଧା ଉପଲବ୍ଧ ହେବ । ଏହି ଟିକା ଉପଲବ୍ଧ ହେଲେ ଦୁଇ କିମ୍ବା ତିନିଟି ଟିକା ନେବାର ଆବଶ୍ୟକତା ପଡିବ ନାହିଁ । ମାତ୍ର ଗୋଟିଏ ଡୋଜରେ ସମସ୍ତ ସମସ୍ୟାର ସମାଧାନ ହେବ । ଯେଉଁମାନେ ବାରମ୍ବାର ଟିକା ନେବାକୁ ଚାହୁଁନାହାନ୍ତି, ସେମାନଙ୍କ ଲାଗି ଏହା ସହାୟକ ହେବ ।

ଅନେକ ଦେଶରେ ବୟସ୍କ, ଜରା ରୋଗଗ୍ରସ୍ତ, ଦୁର୍ବଳ ଲୋକଙ୍କୁ ତୃତୀୟ ଡୋଜ ତଥା ବୁଷ୍ଟର ଡୋଜ ଦିଆଯିବା ବେଳେ ସମସ୍ୟା ଉପୁଜିଛି । ସେ କ୍ଷେତ୍ରରେ ମଡର୍ଣ୍ଣାର ସିଙ୍ଗଲ ଡୋଜ ସହାୟକ ହେବ । ପୂର୍ବରୁ ମଡର୍ଣ୍ଣା ସିଇଓ କହିଥିଲେ କି ୨୦୨୨ ଶେଷ ବେଳକୁ କିଛି ଲୋକଙ୍କ ଲାଗି ଚତୁର୍ଥ ଡୋଜର ଆବଶ୍ୟକତା ଦେଖାଦେଇପାରେ । ସେପଟେ ଏହି ସମ୍ମିଳନୀରେ ଯୋଗ ଦେଇ ଆମେରିକାର ପ୍ରମୁଖ ସଂକ୍ରମିତ ରୋଗ ବିଜ୍ଞାନୀ ଆନ୍ଥୋନି ଫଉସି କହିଛନ୍ତି ଯେ, ବୁଷ୍ଟର ଡୋଜ ନେବା ଦ୍ୱାରା ଲୋକଙ୍କ ପ୍ରତିରୋଧକ ଶକ୍ତି ହ୍ରାସ ହେବାର ପ୍ରମାଣ ଆସିନାହିଁ । ବୁଷ୍ଟର ଡୋଜ ଲୋକଙ୍କ ଲାଗି କରୋନା ମୁକାବିଲାରେ ସହାୟକ ହେଉଛି ।

Leave a Reply