ପୁରୀ ରେଳଷ୍ଟେସନରେ ଆଣ୍ଟି ଟେରର୍ ମକଡ୍ରିଲ୍
1 min read
ପୁରୀ : ରଥଯାତ୍ରା ପାଇଁ ଷ୍ଟେସନରେ ଖଚାଖଚ ଭିଡ଼ । ହଠାତ୍ ୩ ଆତଙ୍କବାଦୀ ହାଇଜାକ କଲେ ଟ୍ରେନ୍ । ଯାତ୍ରୀଙ୍କୁ କବଜାରେ ରଖିଛନ୍ତି ଆତଙ୍କୀ । ଉଦ୍ଧାର ପାଇଁ ତୟାର ଯବାନ । ଆରମ୍ଭ ହେଲା ଅପରେସନ । ଶେଷରେ ଗୋଟିଏ ପରେ ଗୋଟି ଆତଙ୍କବାଦୀଙ୍କୁ ଗୁଳିକରି ହତ୍ଯାକଲେ ଉଦ୍ଧାରକାରୀ ଦଳ । ଏହା କୌଣସି ସତସତିକା ନୁହେଁ, ରଥଯାତ୍ରା ପୂର୍ବରୁ ପୁରୀ ରେଳଷ୍ଟେସନରେ ଏପରି ଏକ ଡେମୋ ଦେଖାଇଛନ୍ତି RPF, GRP, ସ୍ପେଶାଲ କମାଣ୍ଡୋ, SOG, ଅଗ୍ନିଶମ, ଓଡ୍ରାଫ ଓ ପୁରୀ ପୋଲିସ୍ । ଯଦି ରଥଯାତ୍ରା ସମୟରେ ଟ୍ରେନରେ କୌଣସି ଆତଙ୍କୀ କାର୍ଯ୍ୟକଳାପ ଦେଖାଯାଏ ତାକୁ କିଭଳି ମୁକାବିଲା କରାଯିବ ସେନେଇ ଡେମୋ ଦେଖାଇଛନ୍ତି ମିଳିତ ଟିମ୍ । ମକଡ୍ରିଲ ପାଇଁ ୩ ନମ୍ବର ପ୍ଲାଟଫର୍ମରେ ତପସ୍ୱିନୀ ଏକ୍ସପ୍ରେସକୁ ବ୍ୟବହାର କରାଯାଇଥିଲା ।
ରଥଯାତ୍ରା ପାଇଁ ଅନେକ ଯାତ୍ରି ଟ୍ରେନ ଯୋଗେ ଆସିବେ l ସେହି ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ମକଡ୍ରିଲ କରାଯାଇଛି । ପ୍ରଥମେ ଅସୁସ୍ଥ ଯାତ୍ରୀଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ, ପରେ କିଭଳି ଆମ୍ବୁଲାନ୍ସକୁ ନିଆଯିବ ଓ ଆମ୍ବୁଲାନ୍ସ ସ୍ବତନ୍ତ୍ର ଗ୍ରୀନ୍ କରିଡ଼ରରେ ମେଡିକାଲ୍ ପର୍ଯ୍ୟନ୍ତ ନିଆଯିବ ନେଇ ହୋଇଥିଲା ଡେମୋ । ଏହାଦ୍ବାରା ଭକ୍ତମାନେ ସୁବିଧାରେ ସମସ୍ତ ବିଷୟରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ପୁରୀ ଏସପି। ରଥଯାତ୍ରା ଯେତେ ପାଖେଇ ଆସୁଛି ପ୍ରଶାସନର ଚିନ୍ତା ସେତିକି ବଢ଼ିବାରେ ଲାଗିଛି l ଭକ୍ତଙ୍କ ସୁରକ୍ଷା ପାଇଁ ଦିଆଯାଉଛି ପ୍ରାଥମିକତା ଏ ନେଇ କରାଯାଇଛି ଆଣ୍ଟି ଟେରର ମକଡ୍ରିଲ l