spot_img

Latest Posts

ବାତ୍ୟା ସମୟରେ ଯେକୌଣସି ମୋବାଇଲ ନେଟୱାର୍କକୁ କରିପାରିବେ ବ୍ୟବହାର

ଗାନ୍ଧିନଗର: ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’ । ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକମାନଙ୍କର ଝଡ଼ ତୋଫାନରେ ହେବନି ନେଟୱାର୍କ ସମସ୍ୟା। ଲୋକମାନଙ୍କ ମୋବାଇଲରେ ରହିବ ନେଟୱାର୍କ । ବିପର୍ଯ୍ୟୟ ଝଡ଼ ତୋଫାନକୁ ଦୃଷ୍ଟିରେ ରଖି ଟେଲିକମ୍ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଯଦି ଝଡ଼ ତୋଫାନରେ ଫୋନର ନେଟୱାର୍କ ଚାଲିଯାଏ ତେବେ ଆପଣ ଅନ୍ୟ କମ୍ପାନୀର ନେଟୱାର୍କ ବ୍ୟବହାର କରି କଥା ହୋଇପାରିବେ।

ଆପଣମାନେ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିବ । ହଁ ଆଜ୍ଞା ଏହା ସମ୍ଭବ । ସେଥିପାଇଁ ଆପଣଙ୍କ ଫୋନରେ ଥିବା ସେଟିଂ ସମୂହକୁ ଯାଇ ଚେଞ୍ଜ୍ କରିବାକୁ ପଡିବ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ବିପର୍ଯ୍ୟୟ’ କୁ ନେଇ ପ୍ରତ୍ୟେକ ସମୟରେ ସତର୍କତା ଜାରି ହୋଇଆସୁଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ ରଚିବ ତାଣ୍ଡବ । ‘ବିପର୍ଯ୍ୟୟ’ କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଏନେଇ ଗୁଜରାଟ ସରକାର ବାତ୍ୟାର ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତ କରିସାରିଛି ।

ଗୁଜରାଟ ସରକାର ଏବଂ ପୁରା ପ୍ରଶାସନ ମିଳିତ ବୈଠକ କରି ବାତ୍ୟା ପାଇଁ ଆଗୁଆ ସଜାଗ ହୋଇଛନ୍ତି । ଝଡ଼ତୋଫାନ କାରଣରୁ ବିଦ୍ୟୁତ ଖୁଣ୍ଟ ଏବଂ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ଯେଉଁଥିପାଇଁ ଟେଲିକମ୍ ନେଟୱାର୍କ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ଏଭଳି ପରିସ୍ଥିତିରେ ଲୋକେ ଯେପରି ବାତ୍ୟା ସମୟରେ କୌଣସି ଅସୁବିଧାର ସାମ୍ନା ନ କରନ୍ତି ସେଥିପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି ।

ଟେଲିକମ୍ ବିଭାଗ ଘୋଷଣା କରିଛି ଯେ ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକ ଝଡ ତୋଫାନ ଅନୁଭୂତ ହେବା ସମୟରେ ଟେଲିକମ୍ ନେଟୱାର୍କ ବ୍ୟବହାର କରିବାରେ କୌଣସି ଅସୁବିଧା ଭୋଗିଲେ ଅନ୍ୟ ଟେଲିକମ୍ ଅପରେଟର ଦ୍ୱାରା ପ୍ରଦାନ କରାଯାଉଥିବା ନେଟୱାର୍କ ବ୍ୟବହାର କରିପାରିବେ। ଏହି ସେବା ବ୍ୟବହାର କରିବାକୁ ଲୋକଙ୍କୁ ମୋବାଇଲ୍ ସେଟିଂ ସମୂହକୁ ଯାଇ ସିମ୍ କାର୍ଡ ଚୟନ କରିବାକୁ ହେବ। ଏହା ପରେ ନିଜ ଅଞ୍ଚଳରେ ଉପଲବ୍ଧ ଥିବା ମୋବାଇଲ୍ ନେଟୱାର୍କ ଅପସନକୁ ଯାଇ ଚୟନ କରିବାକୁ ହେବ।
ସୂଚନା ଅନୁଯାୟୀ, ଏହି ନେଟୱାର୍କ ସେବା କେବଳ କଚ୍ଛ, ଦ୍ୱାରିକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଏବଂ ମୋର୍ବିରେ ଉପଲବ୍ଧ ହେବ । ଏହି ସୁବିଧା ଜୁନ୍ ୧୭ ରାତି ୧୧:୫୯ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

Latest Posts

Don't Miss