ଶସ୍ତା ହେବ ମୋବାଇଲ୍ କଲ ଓ ଇଣ୍ଟରନେଟ୍‌ ଦର ! ଲାଇସେନ୍ସ ଫି’ କମ କରିବେ ସରକାର

ଇଣ୍ଟରନେଟ ଓ ଟେଲିକମ ସେବା ଯୋଗାଇବାରେ ଭାରତ ସବୁଠାରୁ ଶସ୍ତା ଦେଶ  । ଏବେ ପୁଣି ଏହି ସେବା ଆହୁରି ଶସ୍ତା ହେବାକୁ ଆଶା କରାଯାଉଛି  । ମହଙ୍ଗା ମାଡ, ମହଙ୍ଗା ସ୍ପ୍ରେକ୍ଟମ ବା ଅତ୍ୟଧିକ ଲାଇସେନ୍ସ ଫି’ର ବାହାନା ଦେଇ ଲଗାତାର ଟାରିଫ ବୃଦ୍ଧି କଥା କହୁଛି ଟେଲିକମ କମ୍ପାନୀ  । ୨୦୨୧ରେ ୨୦ ରୁ ୨୫ ପ୍ରତିଶତ ମଧ୍ୟ ଟାରିଫ ବୃଦ୍ଧି କରିଥିଲା କମ୍ପାନୀ  । ଚଳିତବର୍ଷ ନଭେମ୍ବର ସୁଦ୍ଧା ୧୦ରୁ ୧୫ ପ୍ରତିଶତ ଟାରିଫ ବୃଦ୍ଧି ପାଇଁ ଆଶା କରାଯାଉଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଟାରିଫ ବୃଦ୍ଧି କରିନାହିଁ କମ୍ପାନୀ । ଯାହା ଫଳରେ ମୋବାଇଲ କଲ୍‌ ଓ ଇଣ୍ଟରନେଟ ଶସ୍ତା ହେବାକୁ ଯାଉଛି ।

ଟେଲିକମ କମ୍ପାନୀରେ ବାର୍ଷିକ ଲାଇସେନ୍ସ ଫି’ ଖର୍ଚ୍ଚର ବଡ ଭୁମିକା ତୁଲାଇଥାଏ  । କମ୍ପାନୀକୁ ନିଜ ଏଜିଆରର ୮ ପ୍ରତିଶତ ଲାଇସେନ୍ସ ଫି’ ଭାବେ ଦେବାକୁ ହୋଇଥାଏ  । କିନ୍ତୁ ନୂଆ ଟେଲିକମ ବିଲ୍‌ରେ ସରକାର ଏହି ଲାଇସେନ୍ସ ଫି’ କିଛି ମାତ୍ରାରେ କମ କରିପାରନ୍ତି  ।

ଟେଲିକମ ବିଲ୍‌ର ପ୍ରଥମ ଡ୍ରାଫ୍ଟ କାରଣରୁ ପୂର୍ବରୁ ବି ବିବାଦ ଘେରରେ ରହିଆସିଛି ଦୂରସଞ୍ଚାର ମନ୍ତ୍ରାଳୟ  । ଏହି ଡ୍ରାଫ୍ଟକୁ ନେଇ ନଭେମ୍ବର ୨୦ ମଧ୍ୟରେ ୯୦୦ ଅଭିଯୋଗ ଆସିଛି  । ଡିସେମ୍ବର ଶେଷ ସୁଦ୍ଧା ସରକାର ପୁଣି ସଂଶୋଧିତ ଡ୍ରାଫ୍ଟ ଆଣି ପାରନ୍ତି  । ଯେଉଁଥିରେ ଲାଇସେନ୍ସ ଫି’ ଏଜିଆରର ୮ ପ୍ରତିଶତରୁ ହ୍ରାସ କରି ୫ ରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରହିବ ।

ପ୍ରକୃତରେ ଟେଲିକମ କମ୍ପାନୀଙ୍କୁ ଲାଇସେନ୍ସ ଫି’ରୁ ମୁକ୍ତି ମିଳିବାର ଶ୍ରେୟ ହ୍ବାଟସଆପ୍‌ ଭଳି ଟେକ୍‌ କମ୍ପାନୀଙ୍କୁ ମିଳିବା ଆବଶ୍ୟକ । ଟେଲିକମ ବିଲ୍‌ ପୂର୍ବରୁ ଡ୍ରାଫ୍ଟରେ କୁହାଯାଇଥିଲା ଯେ ହ୍ବାଟସଆପ୍‌, ଟେଲିଗ୍ରାମ, ସ୍କାଇପି ଭଳି କମ୍ୟୁନିକେସନ ଆପ୍‌କୁ ଗାଇଡଲାଇନ ମଧ୍ୟରେ ଅଣାଯିବା ଉଚିତ୍‌ । ଏହା ଦ୍ବାରା ଭାରତରେ ବ୍ୟବସାୟ କରିବା ପାଇଁ ଏମାନଙ୍କୁ କିଛି ନିୟମ ମାନିବାକୁ ପଡିବ  ।

 

  • କମ୍ପାନୀଗୁଡିକୁ ଲାଇସେନ୍ସ ନେବାକୁ ହେବ  ।
  • ନିଜ ଡାଟା ଭାରତୀୟ ସର୍ଭରରେ ରଖିବେ  ।
  • ଯାଞ୍ଚ ଏଜେନ୍ସୀ ଗୁଡିକୁ ଡାଟା ଆକ୍ସେସ ଦେବାକୁ ହେବ  ।

 

ଏହି ତିନି ନିୟମକୁ ନାପସନ୍ଦ କରିବା ସହ ବିରୋଧ କରୁଥିଲେ ଟେକ୍‌ କମ୍ପାନୀ । କିନ୍ତୁ ବହୁ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ, ଏହି କମ୍ପାନୀ ଗୁଡିକରେ ପ୍ରତିବନ୍ଧକ ଲଗାଇବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ  । ବରଂ କମ୍ପାନୀର ଚାପରେ ହୁଏତ ସରକାର ଲାଇସେନ୍ସର ପ୍ରାବଧାନ ହଟାଇ ପାରନ୍ତି ନଚେତ ଲାଇସେନ୍ସକୁ ଅନିବାର୍ଯ୍ୟ ରଖି ଲାଇସେନ୍ସ ଫି’ ବହୁତ କମ କରିପାରନ୍ତି  । ଯାହା ଫଳରେ ଲାଇସେନ୍ସ ଫି’କୁ କମ କରି ଏଜିଆରର ଏକ ବା ଦୁଇ ପ୍ରତିଶତ କରାଯାଇପାରିବ  । ଏକାଥରେ ଏହି ନିୟମ ଲାଗୁ ନ କରି ସରକାର ପର୍ଯ୍ୟାୟକ୍ରମେ କରିପାରନ୍ତି ବୋଲି ବିଶେଷଜ୍ଞ ମତ ଦିଅନ୍ତି  ।