ମୋ ସ୍କୁଲ ଅଭିଯାନ ଫେକ୍ ୱେବସାଇଟ୍ ଖୋଲି ଠକେଇ ଘଟଣା, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନ ଫେକ୍ ଓ୍ବେବସାଇଟ୍ ଖୋଲି ଚାକିରି କରିବାକୁ କହି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ଦୁଇଲକ୍ଷ ନଗଦ ଟଙ୍କା, ଲାପଟପ୍, କମ୍ପ୍ୟୁଟର, ୧୩ ଟି ଫୋନ୍, ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ନକଲି ଷ୍ଟାମ୍ପ ଜବତ ହୋଇଛି । ମୋ ସ୍କୁଲ ଅଭିଯାନ ନାଁ ରେ ଏକ ଫେକ ଓ୍ବେବସାଇଟ୍ ଖୋଲି ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପିଅନ ସମେତ ବହୁ ପୋଷ୍ଟ ପାଇଁ ଆବେଦନକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ଜୁଲାଇ ମାସରେ ଏମାନେ ମୋ ସ୍କୁଲ ଅଭିଯାନର ଫେକ ଓ୍ବେବସାଇଟ୍ ଖୋଲିଥିଲେ । ଟିଚିଙ୍ଗ ଓ ନନ ଟିଚିଙ୍ଗରେ ଚାକିରି କରାଇ ଦେବାକୁ କହି ଯୁବକ ଓ ଯୁବତୀଙ୍କ ଠାରୁ ନେଇଥିଲେ ମୋଟା ଅଙ୍କର ଟଙ୍କା । ୩ ଅଭିଯୁକ୍ତଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଅମର ସାମଲ, ମଦନ ନାଗ, ରାୟଗୁଲୁ ପାତ୍ର ଗିରଫ କରାଯାଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ବୋଲି ଏସିପି କହିଛନ୍ତି ।