spot_img

Latest Posts

ଜି ରାମ ଜି ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଓକିଲାତି…

ଭୁବନେଶ୍ବର : MNREGA ଠାରୁ ଭିବି-ଜି-ରାମ-ଜି ଯୋଜନା ଭଲ। ନୂଆ ଯୋଜନା ସପକ୍ଷରେ ଅନେକ ଯୁକ୍ତି ଦର୍ଶଆଇ ଏହା ଭଲ ବୋଲି ସାର୍ଟିଫିକେଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି, ମନ୍ତ୍ରୀ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ବୁଝାଇଛନ୍ତି, ଭିବି ଜି ରାମ ଜୀ କାହିଁକି MNREGA ଠାରୁ ଭଲ। ପୁରୁଣା ଯୋଜନାରେ ଦୋଷ ଦୁର୍ବଳତା ଥିଲା, ବାଟବାରଣା ହେଉଥିଲା। ନୂଆ ଯୋଜନାରେ ସ୍ବଚ୍ଛତା ଓ ଦକ୍ଷତା ବଢିବ।  ଲୋକଙ୍କୁ କାମ ଅଧିକ ଦିନର ମିଳିବା ନିଶ୍ଚିତ। କାମ ନ ମିଳିଲେ ଭତ୍ତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଅଭିଯୋଗ କରିଛନ୍ତି, ରାଜନୈତିକ ଫାଇଦା ପାଇଁ ୨୦୦୯ରେ  ନରେଗା ଯୋଜନାରେ ଉପା ସରକାର ଯୋଡ଼ିଥିଲେ ମହାତ୍ମା ଗାନ୍ଧୀଙ୍କ ନାମ। ନାଁ ପରିବର୍ତ୍ତନ ହେଲା କିନ୍ତୁ  ଢାଞ୍ଚା ପରିବର୍ତ୍ତନ ହେଲାନି। ପ୍ରତି ପରିବାରକୁ ବର୍ଷକୁ ଶହେ ଦିନ କାମର ଗ୍ୟାରେଣ୍ଟି ଦିଆଯାଇଥିଲା। କିନ୍ତୁ ଆଉଟକମ ଥିଲା ୫୦ ପ୍ରତିଶତ। କାମ ନ ମିଳିଲେ ଭତ୍ତା ବ୍ୟବସ୍ଥା ବି ନଗଣ୍ୟ ଥିଲା। ଦୁର୍ବଳ ତଦାରଖ  ଯୋଗୁଁ ଦୁର୍ନୀତି ହୋଇଛି, ଯୋଜନା ବିଫଳ ହୋଇଛି ବୋଲି କହିଛନ୍ତି ମୋହନ ମାଝୀ। ତାଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବିକଶିତ ଭାରତ, ସେଥିପାଇଁ ନୂଆ ଯୋଜନାରେ ବିକଶିତ ଯୋଡ଼ା ଯାଇଛି। ବିରୋଧଥୀ ଅଯଥା ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।

ଭିବି ଜି ରାମ ଜି ଯୋଜନା ରାଶିରେ କେନ୍ଦ୍ର-ରାଜ୍ୟର ଅଂଶ ବଦଳିଛି। ଆଗରୁ ଓଡ଼ିଶା ଓ କେନ୍ଦ୍ର ସରକାର ପାଇଁ ଏହା ଥିଲା ୧୦ : ୯୦ । ଏବେ ତାହା ୪୦ : ୬୦ ପ୍ରତିଶତ ହେବ। ଏହା ଦ୍ଵାରା ରାଜ୍ୟର ଆର୍ଥିକ ବୋଝ ବଢ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ପାଇଁ ଏହି ଯୋଜନା ହୋଇଛି।  କୌଣସି ରାଜ୍ୟ ଏହାକୁ ବିରୋଧ କରିନାହାନ୍ତି। ସେପଟେ କଂଗ୍ରେସ କହିଛି, ମୋହନ ମାଝୀ ତାଙ୍କ ପଦବୀ ବଞ୍ଚାଇବା ପାଇଁ ଏପରି କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜିପିଏସ୍ ଏବଂ ମୋବାଇଲ ଜରିଆରେ ନୂଆ ଯୋଜନାରେ ସ୍ବଚ୍ଛତା ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି। ଭିବି ଜି ରାମ ଜି କୁ ଆରମ୍ଭରୁ ବିରୋଧ କରୁଥିବା କଂଗ୍ରେସ ଆସନ୍ତା ଜାନୁଆରୀ ୩୦ରେ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି।

Latest Posts

Don't Miss