ବିଧାନସଭାର ଶେଷ ଅଧିବେଶନ; ଗୋଟିଏ ଫ୍ରେମରେ ନଜର ଆସିଲେ ଶାସକ ଓ ବିରୋଧୀ ବିଧାୟକ

ଭୁବନେଶ୍ୱର: ସରିଲା ଶୋଡ଼ଷ ବିଧାନସଭାର ଶେଷ ଅଧିବେଶନ। ଶେଷ ଅଧିବେଶନର ଶେଷ ଦିନରେ ଭାବବିହ୍ବଳ ହେଲେ ବିଧାୟକ। ଗୋଟିଏ ଫ୍ରେମରେ ବସିଲେ ଶାସକ ବିରୋଧୀ ବିଧାୟକ । ପରସ୍ପର ସହ ବାଣ୍ଟିନେଲେ ବିଧାନସଭାର ସ୍ମୃତି । ଏକାଠି ହୋଇ ସଭିଏଁ ଫଟୋ ଉଠାଇବା ସହ ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ଯରେ ବାଣ୍ଟିଛନ୍ତି।

ପୁଣି ଲୋକଙ୍କ ଆଶୀର୍ବାଦ ମିଳିଲେ ବିଧାନସଭା ଆସିବାର ସୁଯୋଗ ମିଳିବ। ଏହାପୂର୍ବରୁ ସମସ୍ତ ସଦସ୍ଯ ଗୋଟିଏ ଜାଗାରେ ଏକାଠି ହୋଇ ଫଟୋ ଉଠାଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ଗହଣରେ ବସି ଫଟୋ ଉଠାଇଥିଲେ ସମସ୍ତ ବିଧାୟକ। ଏହି ସମୟରେ ବିଧାୟକଙ୍କ ସହିତ ମୁଖ୍ଯମନ୍ତ୍ରୀ କଥା ହୋଇଥିଲେ। ଫଟୋ ସେସନ ପରେ ସମସ୍ତ ବିଧାୟକ ପରସ୍ପରକୁ କୋଳାଇ ନେଇ ଭାବବିହ୍ବଳ ହୋଇପଡ଼ିଥିଲେ। ଅନେକ ବରିଷ୍ଠ ନେତା ଏଥର ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବାରୁ ସମସ୍ତଙ୍କ ସହ ହାତ ମିଶାଇ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ୬୫ରୁ ଅଧିକ ନବ ନିର୍ବାଚିତ ବିଧାୟକ ଅନେକ କିଛି ଶିକ୍ଷା ଲାଭ କରି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାମ କରିବାର ପ୍ରେରଣା ପାଇଥିବା କହିଛନ୍ତି । ଏହା ଭିତରେ ଓଡ଼ିଶା ପାଇଥିଲା ପ୍ରଥମ ମହିଳା ବାଚସ୍ପତି । ଗୃହ ପରିଚାଳନା ଅନୁଭୂତି ବି ତାଙ୍କ ପାଇଁ ଥିଲା ବେଶ ନିଆରା । ସେହିପରି ଅନେକ ବିଧାୟକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । କେବଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ସେମାନେ ଅପେକ୍ଷା କରିଛନ୍ତି ।

୨୦୧୯ ରୁ ୨୦୨୪ ଭିତରେ ଅନେକ ଉପନିର୍ବାଚନ ବି ହୋଇଛି। ଦୁଇ ବର୍ଷ ଉପରେ କୋଭିଡର ବି ପ୍ରଭାବ ପଡିଥିଲା । ହେଲେ ସାମାଜିକ ଦୂରତା ଓ ଅନ୍ୟ ନିୟମରେ ଚାଲିଥିଲା ଗୃହ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତଧୂଆ କାର୍ଯ୍ୟକ୍ରମ କରି କୋଭିଡ ବିରୋଧୀ ଲଢେଇରେ ସମସ୍ତଙ୍କୁ ସାମିଲ ବି କରିଥିଲେ । ଏମିତି ଅନେକ ଅନୁଭୂତିକୁ ନେଇ ଗୃହର ମତାନ୍ତର, ମନାନ୍ତର ଭୁଲିଯାଇ ପରସ୍ପରକୁ ଆଦରି ନେଇଥିଲେ।