ବାବୁ ଶୁଣୁନାହାନ୍ତି ବିଧାୟକଙ୍କ କଥା

1 min read

ଆକ୍ଟିଭ୍‌ ମୋଡରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀରେ ଥିବା  ବିଭିନ୍ନ ସରକାରୀ ସ୍କୁଲକୁ କରିଛନ୍ତି ସରପ୍ରାଇଜ୍‌ ଭିଜିଟ୍‌ । ପାଠ ପଢ଼ା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଠିକ୍‌ ଭାବରେ ଦିଆଯାଉଛି କି  ନାହିଁ ତାହାର ତଦାରଖ କରିଛନ୍ତି ବିଧାୟକ । ଗତକାଲି ବିଧାୟକ ମନୋହର ରାନ୍ଧାରୀ ପାପଡାହାଣ୍ଡି ବ୍ଲକ ମାନି ଗାଁ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ପିଲାଙ୍କ ଉପସ୍ଥାନ ସମ୍ପର୍କରେ ପଚାରି ବୁଝିଥିଲେ ।  ହେଲେ ସ୍କୁଲରେ ୨୬୮ ଜଣ ପିଲା ଥିବା ବେଳେ ୫୮ ଜଣ ପିଲା ଉପସ୍ଥିତ ରହିଥିଲେ । କିନ୍ତୁ ରନ୍ଧା ଯାଇଥିବା ଖାଦ୍ୟ ମଧ୍ୟ ସେହି ୫୮ ଜଣ ପିଲାଙ୍କୁ ଅଣ୍ଟି ନଥିବା ଦେଖିବାକୁ ପାଇଥିଲେ ବିଧାୟକ । ଫଳରେ ନିଜେ ପିଲାଙ୍କୁ ବିସ୍କୁଟ କିଣି ଖାଇବାକୁ ଦେଇଥିଲେ । ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ ବିଧାୟକ । ଶିକ୍ଷୟିତ୍ରୀ ଙ୍କୁ ବିଧାୟକ ଫୋନ୍‌ କରି ଡାକିଥିଲେ ମଧ୍ୟ ଆସିନଥିଲେ । ଏହି ଘଟଣାର କିଛିଦିନ ପୂର୍ବରୁ ମଧ୍ୟ ଧନସୁଲି ଆଶ୍ରମ ସ୍କୁଲରେ ପହଞ୍ଚି ସ୍ଥିତି ପରଖିଥିଲେ ବିଧାୟକ ମନୋହର ରାନ୍ଧାରୀ  । ସେଠାରେ ମଧ୍ୟ ୬୬ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳିନଥିବା ନେଇ ବିଡିଓ ଏବଂ ଡିଇଓଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏନେଇ ସମ୍ପୃକ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଜିଲ୍ଲା ପରିଷଦ ବୈଠକରେ ଏହି କଥା  ଉଠାଇଥିଲେ ବିଧାୟକ । ଏହାପରେ ସଙ୍ଗେ ସଙ୍ଗେ ତିନି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

 

 

 

 

 

 

 

 

 

 

  ')}

Leave a Reply