ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ । ତାହା ପୁଣି ରାପ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯିବ । ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ସୁର ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇବେ ।

ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ । ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ । ତେବେ ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ । ସୁରଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି ।

ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ । ତାଙ୍କର ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା । ନଭେମ୍ବର ୨୦ ତାରିଖ, ଶୁକ୍ରବାର ଅପରାହ୍ନ ୪ଟା ସମୟରେ କଟକସ୍ଥିତ (ସମ୍ରାଟ ହଲ ନିକଟସ୍ଥ ) ମିଲନ ଷ୍ଟଡ଼ିଓରେ ଏହି ଗୀତଟି ରେକର୍ଡ କରାଯିବ ।

Leave a Reply