ବିଷ୍ଣୁଙ୍କ ବିତଣ୍ଡା ଯୁକ୍ତି, ଦରଦାମ ବଢ଼ିଲେ ସମସ୍ୟା କ’ଣ ?
ଭୁବେନଶ୍ବର: ଦର ବଢୁ । କଣ ଅସୁବିଧା ହୋଇଗଲା ? ଦରବୃଦ୍ଧି ହେଲେ କିଛି ଯାଏ ଆସେ ନାହିଁ । ଏମିତି ବିତଣ୍ଡା ଯୁକ୍ତି କରିଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ । ବିଷ୍ଣୁଙ୍କ ଏଭଳି ଖାମଖିଆଲ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ବେଶ୍ ପ୍ରତିକ୍ରିୟା ପ୍ରକାଶ ପାଇଛି । ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି । ଦରଦାମ ବୃଦ୍ଧିରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ରନ୍ଧନ ଗ୍ୟାସର ଦରବୃଦ୍ଧି ହାଣ୍ଡିଶାଳରେ ଚଡ଼କ ପକାଇଛି ।
ତୁରନ୍ତ ଗ୍ୟାସ୍ ଦର କମାଇବାକୁ କେନ୍ଦ୍ର ଉପରେ ଚାପ ପକାଇବାକୁ ବିଜେଡି ଆନ୍ଦୋଳନ ଚଳାଇଛି । କେନ୍ଦ୍ରର ବିଜେପି ସରକାର ଲୋକଙ୍କ ସମସ୍ୟା ଦୂର କରିବା ବଦଳରେ ଅଧିକ ସଂଗୀନ୍ କରୁଛି । ଏଭଳି ସମୟରେ ବିଷ୍ଣୁ କହିଛନ୍ତି, ଦେଶବାସୀଙ୍କର କରୋନା ଟେଷ୍ଟ ସହ ଟିକା ଦିଆଗଲା । ଏଥିପାଇଁ ଟଙ୍କା କେଉଁଠୁ ଆସିବ? ଦରଦାମ କିଛି ବଢ଼ି ଯଦି ଆମେ ଏଥିରେ ସହଯୋଗ କରିପାରିଲେ ଅସୁବିଧା କ‘ଣ? ଦରଦାମ ବଢ଼ିଲେ କିଛି କ୍ଷତି ନାହିଁ ।
ତେବେ ବିଷ୍ଣୁଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ବିଷ୍ଣୁ କିଏ? ନା ସେ ଦରଦାମ କମାଇପାରିବେ ନା ବଢ଼ାଇପାରିବେ । ଟିକା ଦେଇ କେନ୍ଦ୍ର ଆମକୁ ଦୟାକରୁନି । ଟିକା ଦେବାର ମାନେ ନୁହେଁ ଦରଦାମ ହୁ ହୁ ହୋଇ ବଢ଼ିବ? ଦର ନକମିଲେ ବିଜେପି ମନ୍ତ୍ରୀ ଓ ବିଧାୟକଙ୍କୁ ରାସ୍ତାରେ ଚଲେଇ ଦେବୁନି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ମଧ୍ୟ ବିଷ୍ଣୁଙ୍କୁ କଡ଼ା ସମାେଲୋଚନା କରିଛନ୍ତି ।