ଧିମେଇ ଗଲାଣି ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ କାମ
ଭୁବନେଶ୍ବର : ବଦଳିଲା ସରକାର, ଧିମେଇ ଗଲା ବିକାଶ କାମ । ଗାଁରୁ ସହର ଯାଏ ବିଭିନ୍ନ ବିକାଶମୂଳକ କାମ ସଂପୂର୍ଣ୍ଣ ଠପ। ଏଥିରୁ ବାଦ ପଡ଼ିନାହିଁ ରାଜଧାନୀରେ ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଆପାର୍ଟମେଣ୍ଟ । ୨୦୨୫ ଶେଷ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରହିଥିଲା। ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିବା ଏହି କାମ ଏବେ ଧୀମେଇ ଗଲାଣି। ବିଧାନସଭାରେ ବାଚସ୍ପତି ସୁରୁମା ପାଢୀ ବିଧାୟକଙ୍କ କ୍ବାର୍ଟର କାର୍ଯ୍ୟର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅତ୍ୟାଧୁନିକ ଆପାର୍ଟମେଣ୍ଟ କାର୍ଯ୍ୟର କିପରି ଅଗ୍ରଗତି ହେବ, ସେନେଇ ବାଚସ୍ପତି ଚିନ୍ତା ପକଟ କରିଛନ୍ତି । ଅନ୍ୟପଟେ ବହୁ ବିଧାୟକ କ୍ବାର୍ଟର ପାଇନଥିବାରୁ ଅସୁବିଧାରେ ରହୁଛନ୍ତି । ତେଣୁ ଯେଉଁ ବିଧାୟକଙ୍କ ପାଇଁ କ୍ବାର୍ଟର ବ୍ୟବସ୍ଥା ହୋଇନାହିଁ ବା କ୍ବାର୍ଟର ପାଇନାହାନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ ବୋଲି କହିଛନ୍ତି ବାଚସ୍ପତି।
ବିଧାୟକଙ୍କ କ୍ବାର୍ଟର କାମ ମନ୍ଥର ଗତିରେ ଚାଲିଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଧାୟକ ସାରଦା ଜେନା ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଠପ୍ ହୋଇଛି ବିକାଶମୂଳକ କାର୍ଯ୍ୟ। ବାଚସ୍ପତି ବି ଜଣେ ଜନ ପ୍ରତିନିଧି। ତେଣୁ ସେ ଯାହା ଅନୁଭବ କଲେ ତାହା କହିଲେ। ବିଜେପି ସରକାର କେବଳ ଭାଷଣବାଜିରେ ଚାଲିଛି ବୋଲି କଟାକ୍ଷ କରିଛି ବିଜେଡି। ଅନ୍ୟପଟେ ବିଜେଡି ସହ ସ୍ବର ମିଳାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ବିଜେଡି ସରକାରରେ ଆରମ୍ଭ ହୋଇଥିଲା ବିଧାୟକଙ୍କ କ୍ବାର୍ଟର କାମ। ହେଲେ ସରକାର ବଦଳିବା ପରେ ଏହା ୨୦୨୯ ସୁଦ୍ଧା ବି ସରିବନି ବୋଲି କହିଛି କଂଗ୍ରେସ। ବିଜେପି କିନ୍ତୁ ଏ ପ୍ରସଙ୍ଗରେ ମାପିଚୁପି ବୟାନ ଦେଇଛି । ବିଜେପି ସରକାର ଗଠନକୁ ୫ ମାସ ବିତିଲାଣି। ରଙ୍ଗ ବଦଳା ଓ ଯୋଜନାର ନାଁ ପରିବର୍ତ୍ତନରେ ମାତିଛନ୍ତି ସରକାର। ତେବେ କାହା ଚାପରେ ବିଧାୟକଙ୍କ ପାଇଁ ବହୁତଳ ଆପାର୍ଟମେଣ୍ଟ କାମ ମନ୍ଥର ହୋଇଛି, ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଘର ଖଣ୍ଡେ ନପାଇ ବିଧାୟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ସରକାରଙ୍କ ଉପରେ ବଢ଼ିଛି ଚାପ ।