ଭୋଟ ଦେଇଥିଲେ ଆଜି ଭେଟିଲେ… ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାଭିମାନ ଅଞ୍ଚଳରେ ପାଦ ପକାଇଲେ ବିଧାୟକ
ଚିତ୍ରକୋଣ୍ଡା: ୭୦ ବର୍ଷ ହେଲା ପାଦ ପଡ଼ିନଥିଲା । ମାଓବାଦୀଙ୍କ ଭୟରେ ବିଚ୍ଛିନ୍ନାଞ୍ଚଳର ଅପବାଦ ମୁଣ୍ଡେଇଥିବା ମାଲକାନଗିରିର ଚିତ୍ରକୋଣ୍ଡା ଅଞ୍ଚଳ ପ୍ରଥମ ଥର ନିଜ ବିଧାୟକଙ୍କୁ ଭେଟିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଆଜି ବିକାଶର ମୁକଶାଳା ପାଲଟିଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଲୋକଙ୍କ ହାଲଚାଲ ବୁଝିବା ସହିତ ସମସ୍ୟା ବିଷୟରେ ଅବଗତ ହୋଇଛନ୍ତି । ଲୋକଙ୍କ ଦାବିକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିବେ ବୋଲି କହିଛନ୍ତି ।
ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ । ଦିନେ ଏଠାରେ ପାଦ ପକାଇବାକୁ ଲୋକେ ଡରୁଥିଲେ । ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ଆଉ ବିଚ୍ଛିନ୍ନାଞ୍ଚଳ ଭାବେ ସହୁଥିଲା ଅପବାଦ । ବିକାଶ ଏଠି ପାଲଟିଥିଲା ସାତ ସପନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ମନୋବଳ ଯୋଗୁଁ ଏବେ ଏହା ପାଲଟିଛି ରାଜ୍ୟ ବିକାଶ ମୁଖଶାଳା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟ ସହ ଗୁରୁପ୍ରିୟା ସେତୁ ଦ୍ୱାରା ଯୋଡ଼ି ହୋଇ ବିଚ୍ଛିନ୍ନାଞ୍ଚଳରୁ ଏହା ପାଲଟିଛି ସ୍ବାଭିମାନ ଅଞ୍ଚଳରେ । ୭୦ ବର୍ଷ ପରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପଣସପୁଟ, ଯୋଡାମ୍ବ ଆଦି ପଞ୍ଚାୟତର ୧୦ରୁ ୧୨ ଗାଁ ବୁଲି ଦେଖିବା ସହ ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରିଛନ୍ତି ।
ସରକାରଙ୍କ ୨୧୫ କୋଟିର ପ୍ୟାକେଜ ଘୋଷଣା ପରେ ବିକାଶ ଏଠି ଡେଣା ମେଲାଇ ଉଡୁଛି । ମୋବାଇଲ ଟାୱାର, ପ୍ରତି ପରିବାରକୁ ସ୍ମାର୍ଟଫୋନ ବଣ୍ଟନ, ସ୍କୁଲ ଓ ଥାନା ପ୍ରତିଷ୍ଠା ଆଗେଇ ଚାଲିଛି । ଯୋଡାମ୍ବ ବହୁମୁଖୀ ରୋଗୀଗୃହ ସହ ଅନ୍ୟାନ୍ୟ ବିକାଶ କାମ ବୁଲିଦେଖିଛନ୍ତି ବିଧାୟକ । ସ୍ୱାଭିମାନ ଅଞ୍ଚଳ ଦ୍ରୁତ ଗତିରେ ବିକାଶପଥରେ ଆଗଉ ଥିବାବେଳେ ଲୋକଙ୍କ ଏବେ ବି ଆହୁରି ସମସ୍ୟା ରହିଛି । ସେସବୁର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର ।
ଲୋକଙ୍କ ସହ ଆଲୋଚନାବେଳେ ପଣସପୁଟରେ ଗୋଟିଏ ମୋବାଇଲ ଟାୱାର ବସାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ମୋବାଇଲ ଟାୱାର ବସିଲେ ଯୋଗାଯୋଗରେ ସୁବିଧା ହେବ ବୋଲି ଗ୍ରାମବାସୀ ଦାବି କରିଥିବାବେଳେ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ବିଧାୟକ । ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଲୋକଙ୍କ ହାଲଚାଲ ବୁଝିବା ସହ ବିକାଶ କାମର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।