ପିପିଲି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଘୋଷଣା, ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଘୋଷଣା । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସାଧାରଣ ସଂପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

ଗତ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହୋଇଥିଲା । ସେଦିନଠାରୁ ଖାଲି ପଡିଛି ପିପିଲି ଆସନ । ନିୟମ ଅନୁସାରେ ୬ ମାସ ମଧ୍ୟରେ ହେବ ଉପନିର୍ବାଚନ । ଏପ୍ରିଲ ମାସରେ ୬ ମାସ ପୂରୁଥିବାରୁ ପିପିଲି ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

କୋଭିଡ କଟକଣା ଭିତରେ ଉପନିର୍ବାଚନ କରାଯିବା ସହ ଶୃଙ୍ଖଳିତ ଭୋଟ କରିବା ପାଇଁ ଅଧିକ ବୁଥ୍‌ ଆୟୋଜନ କରାଯାଇଛି । ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି । ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ ।

ସେହିଭଳି ମୋଟ ବୁଥ୍‌ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଉପନିର୍ବାଚନ ପାଇଁ ପ୍ରତି ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ୍‌ ମଧ୍ୟ କରାଯାଇଛି । ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।

Leave a Reply