‘ଏମକେସିଜି ମେଡିକାଲ କଲେଜ ରାଗିଂ ଅଭିଯୋଗ ମିଛ’
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗର ନୂଆ ମୋଡ । ଘଟଣାର କୌଣସି ସତ୍ୟତା ନଥିବା କହିଛନ୍ତି ଏମକେସିଜି କଲେଜ ଡିନ୍ । ଅଭିଯୋଗ ଆସିବା ପରେ ଏନେଇ ଜୁନିୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ଅଭିଯୋଗ କରିଥିବା ଅଭିଭାବକ କୌଣସି ଛାତ୍ରୀଙ୍କ ବାପା ନୁହନ୍ତି ଓ ଉକ୍ତ ସାଙ୍ଗିଆରେ କୌଣସି ଛାତ୍ରୀ କଲେଜରେ ପଢୁ ନଥିବା ସେ ସ୍ପଷ୍ଟ କରିଛନ୍ତି ।
ତେଣୁ ଚିଠି ମିଥ୍ୟା ହୋଇପାରେ ବୋଲି କହିଛନ୍ତି କଲେଜ ଡିନ୍ । ତଥାପି ଏହାର କେତେ ସତ୍ୟତା ରହିଛି ତାକୁ ନେଇ ଏକ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।
ମେଡିକାଲ କଲେଜରେ ରାଗିଂ ହୋଇଥିବା ଜଣେ ଛାତ୍ରୀଙ୍କ ବାପା ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ପ୍ରାୟ ଶହେ ଜଣ ଛାତ୍ର ଓ ୪୦ ଜଣ ଜୁନିୟର ଛାତ୍ରୀଙ୍କୁ ସିନିୟର ଛାତ୍ରଛାତ୍ରୀ ନିଜର ହୋମୱାର୍କ କରିବାକୁ ବାଧ୍ୟ କରୁଛନ୍ତି । ପ୍ରତିବାଦ କଲେ ସିନିୟର ଛାତ୍ରଛାତ୍ରୀମାନେ ଧମକ ଦେଉଛନ୍ତି । ରାତି ସାଢ଼େ ୧୦ଟା ପରେ ହଷ୍ଟେଲକୁ ଆସି ଜୁନିୟର ଛାତ୍ରଛାତ୍ରୀଙ୍କୁ ହୋମୱାର୍କ କରିବାକୁ ସିନିୟର ଛାତ୍ରଛାତ୍ରୀମାନେ ବାଧ୍ୟ କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଥିଲା ।
ଏନେଇ ଅଭିଯୋଗ ପରେ ଆଜି ରାଗିଂ କରିଥିବା କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଅଭିଯୋଗ କରିଥିବା ଅଭିଭାବକ କୌଣସି ଛାତ୍ରୀଙ୍କ ବାପା ନୁହନ୍ତି ବୋଲି ଜଣାପଡ଼ିଛି ।