spot_img

Latest Posts

ଏମକେସିଜି ହସ୍ପିଟାଲରେ ଏବେ ଅନ୍ଧାର କରୁଛି ରାଜୁତି !

ବ୍ରହ୍ମପୁର : ଜୀବନ ଦୀପକୁ ଉର୍ଜା ଯୋଗାଉଥିବା ସ୍ଥାନରେ ଅନ୍ଧକାରର ରାଜୁତି । ଲୋକଙ୍କ ଭିତରେ ବଞ୍ଚିବାର ଆଶା ଦେଖାଉଥିବା ସ୍ଥାନ ନିଜ ଅସ୍ତିତ୍ବ ଖୋଜୁଛି । ପୂର୍ବରୁ ସ୍ବାସ୍ଥସେବାରେ ଇତିହାସ ସୃଷ୍ଟି କରିଥିବା ଏମକେସିଜି ହସ୍ପିଟାଲ ଏବେ ନିଜ ପରିଚୟ ହଜାଇବାକୁ ବସିଛି । ପ୍ରତିଟି ସମୟରେ ଚଳଚଞ୍ଚଳ ରହୁଥିବା ଏହି ଡାକ୍ତରଖାନାକୁ ସଂଧ୍ୟା ହେଲେ ଅନ୍ଧକାର ମାଡିଆସୁଛି । ଫଳରେ ରୋଗୀଙ୍କ ଠାରୁ ଆରମ୍ଭ କରି ରୋଗୀ ସଂପର୍କୀୟ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି । MKCG ବଡ଼ ଡାକ୍ତରଖାନା ୧୫୦ ଏକର ଅଞ୍ଚଳରେ ରହିଛି। କ୍ୟାମ୍ପସକୁ ସଂପୂର୍ଣ୍ଣ ଆଲୋକୀକରଣ କରିବା ପାଇଁ ୧୬୦ରୁ ଅଧିକ ବିଦ୍ୟୁତ୍ ପୋଲ ରହିଥିବା ବେଳେ ଗତ କିଛି ଦିନ ଧରି ଅଧାରୁ ଅଧିକ ପୋଲରେ ଲାଇଟ୍ ଜଳୁନାହିଁ ।  ଫଳରେ ମେଡିକାଲ ପରିସର ଅନ୍ଧାରୁଆ ହୋଇଯାଉଥିବା ନେଇ ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ପ୍ରବେଶ ପଥ ଠାରୁ ଆଶୁଚିକିତ୍ସା ରାସ୍ତା ପ୍ରାୟତଃ ଅନ୍ଧକାର ରହୁଥିବା ବେଳେ କର୍କଟ ବିଭାଗ, ସେଣ୍ଟ୍ରାଲ ଆଇସିୟୁ, ସୁପର ସ୍ପେଶାଲିଟି ବ୍ଲକ ରାସ୍ତା ଅନ୍ଧାରୁଆ ରହିବା ଫଳରେ ରାତିରେ ଯାତାୟାତ କରିବା ବିପଦପୂର୍ଣ୍ଣ ରହୁଛି।

ଅନ୍ଧାରର ସୁଯୋଗ ନେଇ ନୂତନ ପ୍ରେକ୍ଷାଳୟ ରାସ୍ତାକଡ଼ରେ ଅସାମାଜିକଙ୍କ ଆଡ଼ା ଜମୁଛି । ରୋଗୀ, ଛାତ୍ରଛାତ୍ରୀ, କର୍ମଚାରୀ ଓ ରୋଗୀ ସଂର୍ପକୀୟ ଯାତାୟାତ କରୁଥିବା ରାସ୍ତାରେ ବାଇକ୍ ଚାଳକ ଆଖିବୁଜା ଗାଡ଼ି ଚଲାଉଥିବା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ମେଡିକାଲ କର୍ତ୍ତୃପକ୍ଷ ବିଭିନ୍ନ ବିଦ୍ୟୁତ୍ ପୋଲରେ ସିସି କ୍ୟାମେରା ଲଗାଇଥିବା ବେଳେ ସେଥିରୁ ଅଧିକାଂଶ କାମ କରୁନଥିବା ଅଭିଯୋଗ ହୋଇଛି । ଏଥିନେଇ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଅବଗତ ଥିଲେ ବି ଏଥିନେଇ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ସରକାର ମେଡିକାଲ ପରିସରର ସୁରକ୍ଷା ପାଇଁ ଗୁରୁତ୍ବ ଦେଇଥିବା ବେଳେ  ବର୍ତ୍ତମାନର ବିଜେପି ସରକାରଙ୍କ ଏଥିପ୍ରତି ନିଘା ନଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମାଳ ମାଳ ନେତା ମେଡିକାଲ ଆସି ବୁଲିଥିବା ବେଳେ ଆଲୋକୀକରଣ ପାଇଁ କୌଣସି ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

Latest Posts

Don't Miss