ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା : ୫ ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ୟାମ୍ପସ ବ୍ୟାନ୍

ନନ୍ଦିଘୋଷ ବ୍ୟୁରୋ: ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା । ରାଗିଂ କରିଥିବା ୫ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସ ବ୍ଯାନ କରାଯାଇଛି । ୫ ଜଣ ଚତୁର୍ଥ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଥିଲେ । ଦୁଇ ଘଣ୍ଟା ଧରି ଆଣ୍ଟି ରାଗିଂ କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ପୋଲିସରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯିବ । ଲିଖିତ ଅଭିଯୋଗ ପ୍ରକାରେ ତଦନ୍ତ କରି ପୋଲିସ ମଧ୍ୟ ୫ ଜଣ ଛାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ । ରାଗିଂ ହୋଇଥିବା ନେଇ ଜଣେ ଦ୍ବିତୀୟ ବର୍ଷର ଛାତ୍ର ଓ ତାଙ୍କ ଅଭିଭାବକ ଗତ ଦୁଇ ଦିନ ପୂର୍ବରୁ ମେଡିକାଲ ଡିନକୁ ଲିଖିତ ଅଭିଯୋଗ ଦେଇଥିଲେ । ଆଉ ଦୁଇ ଜଣ ମଧ୍ୟ ଏନଏମସି ନିକଟରେ ରାଗିଂ ହୋଇଥିବା ଅଭିଯୋଗ କରିଥିଲେ ।  ଏନଏମସି ନିକଟରେ ହୋଇଥିବା ଅଭିଯୋଗର ମଧ୍ୟ ତଦନ୍ତ କରାଯାଇ ଖୁବଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଡିନ ଡା ସୁଚିତ୍ରା ଦାସ ସୂଚନା  ଦେଇଛନ୍ତି ।