ମିଜୋରାମରେ ଜଣେ ମା’ର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା

ସେ ମା । ସର୍ବଂସହା । ପିଲା ପାଇଁ ତା ପଣତ ତଳେ ଯେତିକି ଭଲପାଇବା ସେତିକି ସ୍ନେହ, ପ୍ରେମ ଓ କର୍ତ୍ତବ୍ୟର ଭରପୁର ବୋଝ । ସେ କର୍ତ୍ତବ୍ୟ କରେ, ଆକଟ କରେ, ଭବିଷ୍ୟତ ପାଇଁ ରାସ୍ତା ଦେଖାଏ । ସବୁ ବିପଦ ଆପଦରେ ଥାଇ ମଧ୍ୟ ନିଜ ଛୁଆଙ୍କୁ ସୁରକ୍ଷିତ ରଖିଥାଏ ।


ମିଜୋରାମରେ ଜଣେ ମାଆଙ୍କର କାହାଣୀ ଆଜି ସାରା ଦେଶରେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି । ମିଜୋରାମ୍ ତୁଉକୁମ୍ ଭଲ୍ଲିବଲ୍ ଟିମର ସଦସ୍ୟ ହେଉଛନ୍ତି ଲାଲଭେନଲିଙ୍ଗ । ସେ ମ୍ୟାଚ୍ ଖେଳିବାକୁ ତାଙ୍କ ସହ ତାଙ୍କର ୭ ମାସର ପିଲାକୁ ନେଇ ଆସିଥିଲେ । ମ୍ୟାଚ୍ ଚାଲିଥିବା ବେଳେ ଛୁଆଟି କାନ୍ଦିବାରୁ ସେ ବ୍ରେକ୍ ନେଇ ତାକୁ ଖୀର ଦେବା ପାଇଁ ବାହାରକୁ ଆସିଲେ । ଚେୟାରରେ ବସି ୭ ମାସର ପିଲାକୁ ଖୀର ଦେଇଥିଲେ ଲାଲଭେନଲିଙ୍ଗ ।


ଏହି ସମୟରେ ଲାଲଭେନଲିଙ୍ଗଙ୍କର ଏକ ଫଟୋକୁ ଉଠାଇଥିଲେ ନିଙ୍ଗଲୁନ୍ ହଙ୍ଗାଲ୍ ନାମକ ଜଣେ ଦର୍ଶକ । ଏ ଫଟୋକୁ ସେ ଫେସବୁକରେ ସେୟାର କରିବା ପରେ ଲକ୍ଷାଧିକ ଲୋକ କମେଣ୍ଟ କରିଥିଲେ । ସମସ୍ତେ ଲାଲଭେନଲିଙ୍ଗଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଦୁଇଟି ଦାୟିତ୍ୱକୁ କିଭଳି ସତର୍କତାର ସହ ନିଭାଇବାକୁ ପଡ଼େ ତାହା ଲାଲଭେନଲିଙ୍ଗଙ୍କ ଠାରୁ ଶିଖିବାର ଅଛି ବୋଲି କେହି କେହି ଲେଖିଥିଲେ । ତେବେ ଏ ଫଟୋ ଭାଇରାଲ୍ ହେବା ପରେ ମିଜୋରାମର କ୍ରୀଡାମନ୍ତ୍ରୀ ରୋବର୍ଟ ରୋମାନିଆ ରାଏଟ୍ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ସମସ୍ତେ ଲାଲଭେନଲିଙ୍ଗଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କ ମାତୃତ୍ୱକୁ ସଲାମ୍ କରିଥିଲେ ।

Leave a Reply