ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ନବୀନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର  । ଭାରତୀୟ ସିନେମାରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବା ନେଇ ଘୋଷଣା ହୋଇଛି ।  ଆସନ୍ତା ଅକ୍ଟୋବର ୭ ତାରିଖରେ ୭୦ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ଦିଆଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଘୋଷଣା କରିଛନ୍ତି ।

ଆଗରୁ ସେ ପଦ୍ମ ଭୂଷଣ ବି ପାଇଛନ୍ତି। ୭୪ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୮୦ ଓ ୯୦ ଦଶକରେ ସବୁଠୁ ଲୋକପ୍ରିୟ ଅଭିନେତା ଥିଲେ ମିଥୁନ। ହିନ୍ଦି, ବଙ୍ଗଳା ସହିତ ଅନେକ ଭାଷାର ଫିଲ୍ମରେ ସେ ଅଭିନୟ କହିଛନ୍ତି। ୧୯୭୬ରେ ଡେବ୍ୟୁ କରିଥିଲେ ମୃଗୟା ଫିଲ୍ମରେ। ଏଥିରେ ସେ ଜାତୀୟ ପୁରସ୍କାର ପାଇଥିଲେ। ପରେ ୧୯୯୨ରେ ତାହାଦେର୍ କଥା ଓ ୧୯୯୮ରେ ସ୍ଵାମୀ ବିବେକାନନ୍ଦ ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ପାଇଛନ୍ତି। ଡିସକୋ ଡାନସର ଫିଲ୍ମ ଜରିଆରେ ସେ ଆଧୁନିକ ନାଚକୁ ହିନ୍ଦି ଫିଲ୍ମରେ ଏଣ୍ଟ୍ରି କରାଇଥିଲେ। ତାଙ୍କ ପ୍ରମୁଖ ଫିଲ୍ମରେ ଅଛି ଅଗ୍ନିପଥ, ମୁଝେ ଇନସାଫ ଚାହିୟେ, ହମ୍ ସେ ହେ ଜମାନା, ପସନ୍ଦ ଅପନି ଅପନି, ଘର ଏକ ମନ୍ଦିର, ଗଙ୍ଗା ଯମୁନା ସରସ୍ବତୀ ଇତ୍ୟାଦି। ଫାଲକେ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ମିଥୁନ ଚକ୍ରବର୍ତ୍ତୀ ବହୁତ ଖୁସି ପ୍ରକାଶ କରିଛନ୍ତି।

ସେପଟେ ଭର୍ସାଟାଇଲ ଆକ୍ଟର ମିଥୁନ ଚକ୍ରବର୍ତ୍ତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ସେ ତାଙ୍କୁ ଦାଦା ସାହେବ ଫାଲକେ ପରି ସମ୍ମାନୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଓଡ଼ିଆ ସିନେମା ସମେତ ପରଦାରେ ଅନେକ ସ୍ମରଣୀୟ ଭୂମିକାରେ ଚମତ୍କାର ଅଭିନୟକୁ ପ୍ରଶଂସା କରିଛନ୍ତି ନବୀନ।