spot_img

Latest Posts

ପଶ୍ଚିମବଙ୍ଗରେ ଦିଦିଙ୍କ ଗାଦିକୁ ବିପଦ, ମିଥୁନଙ୍କ ଦାବି ବିଜେପି ସମ୍ପର୍କରେ ଟିଏମସିର ୩୮ ବିଧାୟକ

କୋଲକତା : ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ରାଜନୀତି ଭଳି ଘଟଣା ଘଟିବାକୁ ଯାଉଛି କି ? ଏଭଳି ପ୍ରଶ୍ନ ଉଠିବା ପଛରେ ଅଛି ବିଜେପି ନେତା ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କ ବିସ୍ଫୋରଣକାରୀ ଦାବି । କୋଲକତାରେ ଆଯୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ୍ ବଲିଉଡ୍ ତଡକା ମାରି ରାଜନୈତିକ ବୟାନବାଜୀ କରିଛନ୍ତି । କହିଛନ୍ତି ଯେ, ବିଜେପି ସମ୍ପର୍କରେ ଟିଏମସି ୩୮ ଜଣ ଅସନ୍ତୁଷ୍ଟ ବିଧାୟକ ଅଛନ୍ତି । ଏହି ୩୮ ବିଧାୟକଙ୍କ ମଧ୍ୟରୁ ୨୧ ଜଣ ବ୍ୟକ୍ତିଗତ ଭାବେ ତାଙ୍କ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି । ତାଙ୍କ ଅନୁସାରେ ଆଗାମୀ ଦିନରେ ପଶ୍ଚିମବଙ୍ଗରେ କିଛି ମଧ୍ୟ ହୋଇପାରେ ।

ମେଗାଷ୍ଟାରଙ୍କ ବଲିଉଡ୍ ଡାଇଲଗ

ମିଥୁନ ଆଜି ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀଙ୍କ ସରକାର ଆଗାମୀ ଦିନରେ ଅସ୍ଥିର ହେବ ବୋଲି ଦାବି କରିଛନ୍ତି । ଏବେ ଗୀତ ରିଲିଜ୍ କଲି ପରେ ଟ୍ରେଲର ରିଲିଜ୍ କରିବି ବୋଲି କହି ମିଥୁନ କହିଥିଲେ ଯେ, ବିଜେପି ସମ୍ପର୍କରେ ତୃଣମୂଳର ୩୮ ଜଣ ବିଧାୟକ ଅଛନ୍ତି । ଏହି ୩୮ ଜଣଙ୍କ ମଧ୍ୟରୁ ୨୧ ଜଣ ବ୍ୟକ୍ତିଗତ ଭାବେ ତାଙ୍କୁ ଯୋଗାଯୋଗ କରିଥିବା ସେ ଦାବି କରିଛନ୍ତି । ଯେତେବେଳେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ମହାରାଷ୍ଟ୍ର ଭଳି ରାଜନୈତିକ ଘଟଣାକ୍ରମ ପଶ୍ଚିମବଙ୍ଗରେ ଘଟିବ ନାହିଁ ବୋଲି ମମତାଙ୍କ ବୟାନ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ଯେ, ମମତା ଯଦି କହୁଛନ୍ତି ପଶ୍ଚିମବଙ୍ଗରେ କୁମ୍ଭୀର, ବାଘ ଖାଇଯିବେ, ହାତୀ ମାରିଦେବେ ତେବେ ତାଙ୍କର ଭାବିବାର କଥା ଯେ, କୁମ୍ଭୀର ତାଙ୍କୁ ମଧ୍ୟ ଛାଡିବ ନାହିଁ । କାରଣ କୁମ୍ଭୀର କିମ୍ବା ବାଘ କାହାରି ବନ୍ଧୁ ନୁହନ୍ତି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ଘଟଣାକ୍ରମ ପରେ ମମତା କହିଥିଲେ ଯେ, ମହାରାଷ୍ଟ୍ର ଜନତା ଦୁର୍ବଳ ତେଣୁ ସେଠାରେ ସେମିତି ଘଟିଲା । ପଶ୍ଚିମବଙ୍ଗର ଜନତା ଶକ୍ତ ଏଠାରେ ସେମିତି ହୋଇ ପାରିବ ନାହିଁ । ସେମାନେ ଯଦି ସୁନ୍ଦରବନପଟୁ ପ୍ରବେଶ କରିବେ ତେବେ ବାଘ ଖାଇଯିବ ।

ମହାରାଷ୍ଟ୍ରରେ ଯଦି ହୋଇପାରିବ ପଶ୍ଚିମବଙ୍ଗରେ ବି ହୋଇପାରିବ

ମିଥୁନ କହିଥିଲେ ଯେ, ମୁଁ ଶୋଇଥିଲି ସକାଳୁ ଉଠି ଜାଣିଲି ମହାରାଷ୍ଟ୍ରରେ ସରକାର ଭାଙ୍ଗିଯାଇଛି । ସେଠାରେ ଯଦି ହୋଇ ପାରୁଛି ତେବେ ଏଠାରେ ମଧ୍ୟ ହୋଇପାରିବ । ସୂଚନାଯୋଗ୍ୟ ଯେ, ଗତବର୍ଷ ମିଥୁନ ବିଜେପିରେ ସାମିଲ ହୋଇଥିଲେ । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପରେ ସେ ଆଉ ରାଜନୀତିରେ ସକ୍ରିୟ ନଥିଲେ । ଗତ କିଛି ଦିନ ହେବ ସେ ପୁଣିଥରେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଛନ୍ତି । ବିଜେପିର କେନ୍ଦ୍ରୀୟ. ନେତୃତ୍ୱ ତାଙ୍କୁ ରାଜ୍ୟ ରାଜନୀତିରେ ଅଧିକ ସକ୍ରୀୟ ହେବାକୁ କହିଥିବା ଅନୁମାନ କରାଯାଉଛି ।

Latest Posts

Don't Miss