୯ ମାସ ହେଲା ମିଳିନି ଦରମା, ଭୁବନେଶ୍ଵରରେ ଗର୍ଜିଲେ ମିଶନଶକ୍ତି ମାଆ

ଭୁବନେଶ୍ବର: ରାଜରାସ୍ତାରେ ସରକାରଙ୍କ ବିରୋଧରେ ଗର୍ଜନ କଲେ ହଜାର ହଜାର ଜିପିଏଲଏଫ କର୍ମୀ । ସରକାର ବଦଳିବା ପରେ ମିଶନ ଶକ୍ତି ପ୍ରତି ବଦଳିଯାଇଛି ସରକାରଙ୍କ ଆଭିମୁଖ୍ୟ । ମାସ ମାସ ଧରି ଦରମା ପାଇନାହାଁନ୍ତି । ଦରମା ସହ ଅନ୍ୟାନ୍ୟ ୯ଟି ଦାବିକୁ ନେଇ ଭୁବନେଶ୍ବରେ ସରକାରଙ୍କୁ ନିଜ ଶକ୍ତି ଦେଖାଇବା ସହ ଚେତାବନୀ ମଧ୍ୟ ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ଆଜି ବିଧାନସଭା ଘେରାଉ କରିଛି । ଏମବିକେ, ବ୍ୟାଙ୍କ୍ ମିତ୍ର, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କୁ କୌଣସି କାରଣ ନଥାଇ ନୂଆ ସରକାର ଆସିବା ଦିନରୁ ଦରମା ମିଳିନି ।

ଗାନ୍ଧୀମାର୍ଗରେ ମାଆଙ୍କ ରଣ ହୁଙ୍କାର, ବିଧାନସଭାରେ ବିଧାୟକଙ୍କ ଗର୍ଜନ । ମିଶନଶକ୍ତି ଭାଙ୍ଗିବାକୁ ସରକାରୀ ଦଳ ଚକ୍ରାନ୍ତ କରୁଥିବା ଗନ୍ଧ ବାରିଲା ବିଜେଡି । ସୁଭଦ୍ରା ନାଁରେ ସ୍ବାବଲମ୍ବୀ ନାରା ଦେଇ ମିଶନଶକ୍ତି ମାଆଙ୍କୁ ଦେଉ ନାହାନ୍ତି ଦରମା । ମାଷ୍ଟର କ୍ଯାଣ୍ଟିନ ଛକରୁ ମୁଖ୍ଯମନ୍ତ୍ରୀ ବାସଭବନ ପର୍ଯ୍ଯନ୍ତ ମହିଳାଙ୍କ ବିଶାଳ ସମାବେଶ । ସମାବେଶରେ ନବୀନ ବାବୁଙ୍କୁ ମନେ ପକାଇ କାନ୍ଦିଲେ ମାଆ ।

୯ ମାସ ହେଲା ଦରମା ଦେଇ ନାହାନ୍ତି ନୂଆ ସରକାର । ଡବଲ ଇଞ୍ଜିନ ସରକାରର ଡବଲ ଧୋକା । ଦରମା ନଦେଇ ଦର ବୃଦ୍ଧି କରି ଚାଲିଛନ୍ତି । ୧୦ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ମିଶନଶକ୍ତି ମାଆ । ରାଜ୍ଯ ସରକାର ଓ ମିଶନଶକ୍ତି ବିଭାଗର ଅବିଚାର ବିରୋଧରେ ଗର୍ଜିଥିଲେ । ଜଣେ ମହିଳା ଉପ ମୁଖ୍ଯମନ୍ତ୍ରୀ ହୋଇ ମହିଳାମାନଙ୍କ ଦୁଃଖ ଶୁଣୁନାହନ୍ତି । ଓଡିଶା ପ୍ରଗତି ପଥରେ ଏମବିକେ, ବ୍ୟାଙ୍କ୍ ମିତ୍ର, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କ ବଡ ଦାୟିତ୍ବ । ଦରମା ପାଇଁ ଧାରଣାକୁ ଛୋଟ ପିଲାକୁ ଧରି ଧାଇଁ ଆସିଛନ୍ତି । ପୂର୍ବ ନିଷ୍ପତ୍ତି ମୁତାବକ ଶତ ପ୍ରତିଶତ ବ୍ୟୟ ବରାଦ ରାଜ୍ୟ ସରକାର ବହନ କରି ମିଶନ ଶକ୍ତିରେ କାର୍ଯ୍ୟରତ ୬ଟି କ୍ୟାଡରର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଆଗକୁ ବଢିବା ପାଇଁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଜିପିଏଲଏଫ୍ କମ୍ୟୁନିଟି କ୍ୟାଡରଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ୫ ବର୍ଷିଆ ପଲିସିରେ ଥିବା ୭୫ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶତପ୍ରତିଶତ ପାରିଶ୍ରମିକ ପ୍ରଦାନ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବକେୟା ପାରିଶ୍ରମିକ ପ୍ରଦାନ ଦାବି କରିଛନ୍ତି ।

ମିଶନଶକ୍ତି ମାଆମାନଙ୍କ ଆନ୍ଦୋଳନକୁ ନେଇ ବିଧାନସଭା ବାହାରେ ଓ ଭିତରେ ବି ତାତି ଦେଖିବାକୁ ମିଳିଥିଲା । ଗୃହରେ ବିଜେଡି ତୁମ୍ବିତୋଫାନ କରିଥିଲା । ଧାରଣାସ୍ଥଳରେ ପହଁଚି ମାଆମାନଙ୍କୁ ଭେଟି ନୈତିକ ସମର୍ଥନ ଦେଇଛି ବିଜେଡି । ଲୋକଙ୍କ ସରକାର ଲୋକଙ୍କ ପାଖକୁ ଯିବା କଥା, ସରକାରଙ୍କ ପାଖକୁ ଲୋକେ ଆସୁଛନ୍ତି । ଏ କି ସରକାର ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ମହିଳାଙ୍କୁ ରୋଜଗାର ଓ ସ୍ବାବଲମ୍ବୀ କରିବା କଥା କହି ସରକାରକୁ ଆସିଲେ, ଆଉ ଏବେ ସେମାନଙ୍କ ସ୍ବପ୍ନଙ୍କୁ ଭାଙ୍ଗି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ନବୀନ ସରକାରରେ ମିଶନଶକ୍ତି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ବିଜେପି ସରକାର ଏମାନଙ୍କୁ ହତାଦର କରିବା ଯୋଗୁଁ ଗାଁ ଗଣ୍ଡାରେ ମାଆମାନେ ସରକାରଙ୍କ ବିରୋଧରେ ତେଜିଲେଣି ।

ନଜର ପକାନ୍ତୁ