spot_img

Latest Posts

ସୁନ୍ଦରଗଡ଼ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ । ମଙ୍ଗଳବାର ଦିନ ମନ୍ତ୍ରୀ ମିଶନ ଶକ୍ତି ମା’ମାନଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମନ୍ତ୍ରୀ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଏହାସହ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଚାଲିଥିବା ସ୍ପିରୁଲିନା ଏବଂ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ସେ ପଚାରି ବୁଝିଥିଲେ।

ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସହିତ ସମନ୍ୱିତ ଶିଶୁ ବିକାଶ ଯୋଜନାର (ଆଇସିଡିଏସ୍) ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ। ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲା, କିଶୋରୀ ବାଳିକା, ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କ ସୁବିଧା ପାଇଁ ସେମାନଙ୍କ ଆଧାର କାର୍ଡକୁ ସରକାରଙ୍କ ‘ପୋଷଣ ଟ୍ରାକର’ ସହ ସଂଯୋଗ କରିବାକୁ ସେ ସିଡିପିଓମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ସୁନ୍ଦରଗଡ଼ ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ ସ୍ଥାପନ କରାଯାଇଛି । ମାନ୍ୟବର ମନ୍ତ୍ରୀ ଟାଙ୍ଗରପାଲି ବ୍ଲକର ବନ୍ଧପାଲିସ୍ଥିତ ମା’ଗୃହକୁ ଯାଇ ସେଠାରେ ଗର୍ଭବତୀ ଓ ପ୍ରସୁତି ମା’ମାନଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଜିଲ୍ଲାରେ ୨୦ଟି ମା’ଗୃହ ରହିଛି।

ଏହାସହ ମନ୍ତ୍ରୀ ବେଲସରାସ୍ଥିତ ଜୟଶଙ୍କର ସେବାଶ୍ରମ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତା’ର ସେ ଅନୁଧ୍ୟାନ କରିଥିଲେ । ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ଡିଏମଏଫ ସିଇଓ ରିତା ଡାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss