ନବୀନ ମନ୍ତ୍ର: ମାଆକୁ ସମ୍ମାନ, ମାଆକୁ କାମ
1 min readଭୁବନେଶ୍ବର: ମହିଳା ସଶକ୍ତିକରଣ ବିଚାରଧାରାର ପ୍ରବର୍ତ୍ତକ ଥିଲେ ମହାତ୍ମା ଗାନ୍ଧୀ । ପୁରୁଷ ଓ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟକୁ ସେ ଆଦୌ ଗ୍ରହଣ କରିପାରୁ ନ ଥିଲେ । ପୁରୁଷଓ ନାରୀ ଉଭୟ ଭଗବାନଙ୍କ ଉପହାର । ତେଣୁ ଲିଙ୍ଗଭେଦ ଜନିତ ଅସମତାକୁ ସେ ସବୁ ସମୟରେ ନାପସନ୍ଦ କରୁଥିଲେ । ନାରୀଙ୍କୁ ବଳିଦାନର ପ୍ରତୀକ ଭାବରେ ସେ ବର୍ଣ୍ଣନାକରିବା ସହ ନାରୀମାନଙ୍କ ବିକାଶ ବିନା ସମାଜର ବିକାଶ ସମ୍ଭବ ନୁହେଁ ବୋଲି କହୁଥିଲେ । ଗାନ୍ଧୀଜୀଙ୍କ ଏହି ଆଦର୍ଶ ନବୀନଙ୍କ ଜୀବନାଦର୍ଶରେ ପ୍ରତିଫଳିତ ହୋଇଛି । ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସମର୍ଥ କରିବା ପାଇଁ ସେ ପ୍ରାରମ୍ଭରୁ କାର୍ଯ୍ୟ କରି ଆସିଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଯେଉଁଠି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଛନ୍ତି ।
ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରୋଜଗାରର ବାଟ ଦେଖାଇଛନ୍ତି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ହାତରେ ମିଶନ ଶକ୍ତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୦୧ ମସିହାରୁ ଏକ ଅକଳ୍ପନୀୟ ସମ୍ଭାବନାକୁ ନେଇ ଆଗକୁ ବଢିଥିବା ମିଶନଶକ୍ତି ଏବେ ଓଡ଼ିଶା ମହିଳାଙ୍କ ପାଇଁ ଏକ ଅତୁଳନୀୟ ସାମର୍ଥ୍ୟ ଆଣିଦେଇଛି । ଏହି ଅଭିଯାନ ଏକ ସକରାତ୍ମକ ସଶକ୍ତ ଆନ୍ଦୋଳନରେ ପରିଣତ ହୋଇଛି । ଏହି କ୍ରମରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ପୃଥକ୍ ହୋଇ ସ୍ୱତନ୍ତ୍ରଭାବେ କାର୍ଯ୍ୟକ୍ଷମ ହେଲା ‘ମିଶନ୍ ଶକ୍ତି ବିଭାଗ’ । ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦିଆଯାଇଛି । ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ୍ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ଅନ୍ତର୍ଗତ ରାଜ୍ୟ, ଜିଲ୍ଲା, ବ୍ଲକ୍, ଗ୍ରାମ ପଞ୍ଚାୟତଏବଂ ଗାଁସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ମିଶନ ଶକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିଛି । ମିଶନ ଶକ୍ତି ଗ୍ରୁପ୍ର ମହିଳାମାନେ କୃଷିକ୍ଷେତ୍ରଠାରୁ ଆରମ୍ଭ କରି ଶସ୍ୟ ସଂଗ୍ରହ, ବୁଣାକାର, ହସ୍ତଶିଳ୍ପ ତଥା ଶ୍ରମଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟ୍ରେ ମିଶନ୍ ଶକ୍ତିର ମହିଳା ଏସ୍ଏଚ୍ଜିଙ୍କ ପାଇଁ ୫ବର୍ଷ ପାଇଁ ୪ହଜାର ୯ଶହ ୭୩କୋଟି ଅଣଚାଳିଶ ଲକ୍ଷ ଟଙ୍କାର ବଜେଟ୍ ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଆଗାମୀ ୫ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ହଜାର କୋଟି ଟଙ୍କାର ବ୍ୟବସାୟ ପାଇପାରିବେ । ଏଥିପାଇଁ ୫ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ଏସ୍ଏଚ୍ଜିମାନଙ୍କୁ ୫୦ହଜାର କୋଟି ଟଙ୍କାର ବ୍ୟାଙ୍କ୍ ଋଣ ବ୍ୟବସ୍ଥା କରାଯିବ । ଏହାସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୨ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା କରାଯିବ । ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଇ-କମର୍ସ ଓ ଡିଜିଟାଲ ମାର୍କେଟିଂରେ ୧ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସାମିଲ ହୋଇ ସେମାନଙ୍କ ସାମଗ୍ରୀର ବିକ୍ରିବଟା କରିପାରୁଛନ୍ତି । ମିଶନଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।
ସ୍କୁଲରେ ପାଚନ କାର୍ଯ୍ୟଠାରୁ ସହରରେ ପାଣି ବିଲ୍ ସଂଗ୍ରହ, ନୂତନ ପାଣି ଯୋଗାଣ ଓ ପାଣିର ମାନ ପରୀକ୍ଷା ମହିଳା ସ୍ୱୟଂ ସହାୟକଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯିବାର ପରିକଳ୍ପନା ଏବେ ସଫଳ ରୂପ ନେଇଛି । ପୁନଶ୍ଚ ମଳ ପରିଚାଳନା କେନ୍ଦ୍ର, ହୋଲ୍ଡିଂ ଟ୍ୟାକ୍ସ୍ ଆଦାୟ, ମୁକ୍ତା ଯୋଜନା ଆଦିରେ ମହିଳା ଏସ୍ଏସ୍ଜିଙ୍କ ସମ୍ପୃକ୍ତି ସଫଳ ରୂପାୟନ ହୋଇପାରିଛି । ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡିକରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ୍ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏବେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍ ସେବାର ସୁବିଧା ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୨ଶହ ସଦସ୍ୟା ‘ବ୍ୟାଙ୍କ୍ ସଖୀ’ଭାବେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ଦ୍ୱାରା ଏବେ ସୁଦ୍ଧା ୮୮୦କୋଟି ଟଙ୍କାର ଅର୍ଥ କାରବାର ହୋଇଛି । ଏହାଦ୍ୱାରା ସଖୀମାନେ ମାସିକ ୩ହଜାରରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।
ଅନ୍ୟପକ୍ଷରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ଦେବା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦% ମହିଳାଙ୍କୁ ଦଳ ପ୍ରାର୍ଥୀ କରି ନୂଆ ଇତିହାସ ସୃଷ୍ଟି କରିଛି । ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦରୁ ୭୦% ମହିଳାଙ୍କ ହାତରେ, ସେହିପରି ୩ ମହାନଗର ନିଗମ ମଧ୍ୟରୁ ୨ଟି ନିଗମର ମେୟର ମହିଳା ହୋଇଛନ୍ତି । ମହିଳାମାନଙ୍କ ଯୋଗଦାନ ରାଜ୍ୟ ବିକାଶକୁ ତ୍ୱରାନ୍ୱିତ କରିଛି, ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିଛି।