ଜାଣନ୍ତୁ ମିଶନ ଗଗନୟାନରେ କାହିଁକି ନାହାନ୍ତି ମହିଳା ?

ନନ୍ଦିଘୋଷ ବ୍ୟୁରୋ: ଗଗନୟାନ ସ୍ପେଶ୍ ମିଶନ ପାଇଁ ୪ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି । ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ଓ୍ବିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା ମହାକାଶ ଯାତ୍ରା କରିବେ । ଏହି ଚାରିଜଣ ଦକ୍ଷ ପାଇଲଟ ସବୁ ପ୍ରକାର ଫାଇଟର ଜେଟ୍ ଉଡ଼ାଇସାରିଛନ୍ତି । ରୁଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି ଏହି ପାଇଲଟମାନେ । ୪୦ ବର୍ଷ ପରେ ଭାରତୀୟଙ୍କୁ ଅନ୍ତରିକ୍ଷ ଯିବାପାଇଁ ମଉକା ମିଳିଛି । ଏହା ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ଅନ୍ତରିକ୍ଷ ଯାଇଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କାହିଁକି କେହି ମହିଳା ଅନ୍ତରିକ୍ଷ ଯାଉ ନାହାନ୍ତି । ୪ ଜଣ ପୁରୁଷଙ୍କୁ ହିଁ କାହିଁକି ବଛାଯାଇଛି ?

ଏହି ମିଶନ ପାଇଁ ଯେଉଁ ୪ ଜଣଙ୍କ ନାଁ ଏବେ ସାମ୍ନାକୁ ଆସିଛି ସେମାନଙ୍କୁ ୪ ବର୍ଷ ପୂର୍ବରୁ ଚୟନ କରାଯାଇଥିଲା । ସେମାନେ ସମସ୍ତେ ଟେଷ୍ଟ ପାଇଲଟ୍ । ବହୁତ ଟେଷ୍ଟ ପାସ୍ କରିବା ପରେ ମୋଟ ୧୨ ଜଣ ଲୋକଙ୍କୁ ଚୟନ କରାଯାଇଥିଲା । ସେଥିମଧ୍ୟରୁ ମାତ୍ର ୪ ଜଣଙ୍କୁ ବଛା ଯାଇଛି । ୪ ବର୍ଷ ପୂର୍ବରୁ ଯେଉଁ ଚୟନ ହୋଇଥିଲା ସେତେବେଳେ କେହି ମହିଳା ଟେଷ୍ଟ ପାଇଲଟ ନଥିଲେ । ଏଥିପାଇଁ ମିଶନରେ କେହି ମହିଳା ନାହାନ୍ତି । ଟେଷ୍ଟ ପାଇଲଟ୍ ଅତ୍ୟଧିକ କୁଶଳ ହୋଇଥାନ୍ତି । ଏମର୍ଜେନ୍ସି ସମୟରେ ନିଜକୁ ଶାନ୍ତ ରଖି ମିଶନ ଉପରେ ଧ୍ୟାନ ଦେଇଥାନ୍ତି । ସେମାନଙ୍କୁ ସର୍ବଶ୍ରେଷ୍ଠ ଏୟାର ଓ୍ବାରିୟର୍ କୁହାଯାଏ ।

ଆଗାମୀ ଦିନରେ ମହିଳା ମହାକାଶଚାରୀଙ୍କୁ ଅନ୍ତରିକ୍ଷକୁ ପଠଇବା ଆମ ପାଇଁ ଖୁସିର ବିଷୟ ହେବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି । କିନ୍ତୁ ଏହି ମିଶନରେ ଯେଉଁମାନଙ୍କୁ ଚୟନ କରାଯାଇଛି ଏବଂ ପ୍ରଶିକ୍ଷଣ ଦିଆଯାଇଛି ସେହିମାନେ ହିଁ  ଯିବେ । ଇସ୍ରୋର ଆଗାମୀ ମିଶନରେ ମହିଳାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରର ଡାଇରେକ୍ଟର ଏମ୍ ଉନ୍ନିକ୍ରିଷ୍ଣନ । ଏହି ବର୍ଷ ଶେଷ ସୁଦ୍ଧା ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ ଷ୍ଟେସନ ପାଇଁ ନାସା ଏବଂ ଇସ୍ରୋର ମାନବ ମିଶନ ରହିଛି । ଏଥିରେ ଭାରତୀୟ ବାୟୁସେନାର ଦକ୍ଷ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ସୁଯୋଗ ମିଳିବ ।

ଗଗନୟାନ ଭାରତର ପ୍ରଥମ ମାନବ ମିଶନ୍ । ଏହି ମହାକାଶଚାରୀଙ୍କୁ ପୃଥିବୀର ୪ଶହ କିଲୋମିଟର ତଳେ ଥିବା କକ୍ଷପଥକୁ ପଠାଯିବ ଏବଂ ତାଙ୍କୁ ପୁଣି ପୃଥିବୀକୁ ଅଣାଯିବ।  ଏହି ମିଶନ ୨୦୨୫ରେ ଲଞ୍ଚ ହେବ । ଯଦି ଭାରତର ଏହି ମିଶନ ସଫଳ ହୁଏ ତାହାଲେ ଅନ୍ତରିକ୍ଷକୁ ମାନବ ପଠାଇବାରେ ଭାରତ ଚତୁର୍ଥ ଦେଶ ହେବ । ଏହା ପୂର୍ବରୁ ରୁଷ, ଆମେରିକା ଏବଂ ଚୀନ ମଣିଷଙ୍କୁ ଅନ୍ତରିକ୍ଷକୁ ପଠାଇସାରିଛି ।