ମିଶନଶକ୍ତି ଆଣିଛି ମହିଳା ସଶକ୍ତିକରଣ

ସମ୍ବଲପୁର: ଦୈନିକ ଖବରକାଗଜ ସକାଳ ଏବଂ ନନ୍ଦିଘୋଷ ଟିଭିର ‘ଦହନା’ କାର୍ଯ୍ୟକ୍ରମର ଅନ୍ୟତମ ଅଧିବେଶନ ବିକାଶରେ ନାରୀର ଭୂମିକାରେ ସାମିଲ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ସମାଜସେବୀ ଜୟନ୍ତୀ ଏକ୍କା । ନାରୀଙ୍କୁ ସମ୍ମାନ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବକୁ ମନେ ପକାଇବା ସହ ମିଶନଶକ୍ତି ମହିଳା ସଶକ୍ତିକରଣ ଆଣିଥିବା କହିଥିଲେ ।

ସମ୍ବଲପୁର ମାଟିକୁ ଆସିବାକୁ ସୁଯୋଗ ଦେଇଥିବାରୁ ଦୈନିକ ଖବରକାଗଜ ସକାଳ ଏବଂ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇଥିଲେ ବର୍ଷା । ସେ କହିଥିଲେ, ‘ମୁଁ ଏ ମାଟିର ଜଣେ ଲଢୁଆ ନାରୀଙ୍କ ସହ ମଞ୍ଚରେ ବସିଥିବାରୁ ନିଜକୁ ଗର୍ବିତ ମନେ କରୁଛି । ଆଜିର ନାରୀ ନିଜକୁ ଚିହ୍ନିଲେଣି । ନିଜ ଭିତରେ ଥିବା ଦକ୍ଷତାକୁ ଜାଣିଲେଣି । ନିଜ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ବର ଉଠାଉଛନ୍ତି ଓ ନିଜ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । ଓଡ଼ିଶାରେ ନାରୀମାନଙ୍କ ପାଇଁ ବହୁତ ସୁଯୋଗ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମମାନଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରିଥିବାରୁ ତାଙ୍କୁ ବହୁତ ଧନ୍ୟବାଦ । ନାରୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ତାଙ୍କ ପ୍ରୟାସକୁ ସମ୍ମାନ ଜଣାଉଛି । ଯେଉଁଠି ନାରୀଙ୍କୁ ସମ୍ମାନ ମିଳିଛି ସେ ସମାଜ ଆଗକୁ ବଢିଛି । ସବୁ କ୍ଷେତ୍ରରେ ନାରୀ ଆଗରେ ଅଛନ୍ତି ।’

ସେ ଆହୁରି କହିଥିଲେ, ‘ଅଭିନୟ କରି ଯେମିତି ଖୁସି ପାଇନି, ଲୋକଙ୍କ ସେବା କରି ପାଇଛି । ଲୋକଙ୍କ ମୁହଁରେ ହସ ଫୁଟାଇ ପାରିବା ବହୁତ ଖୁସି ଦେଇଥାଏ । କୋଭିଡ ସମୟରେ ବହୁତ ଅସହାୟକଙ୍କ ପାଖରେ ଛିଡା ହୋଇଛୁ । ଦୁଃଖ, କଷ୍ଟ, ପ୍ରତିବନ୍ଧକ, ଯନ୍ତ୍ରଣାକୁ ବଳ କରି ତା’ ବିରୋଧରେ ଲଢିଲେ ନିଶ୍ଚିତ ଜିତି ପାରିବା । ନିଜକୁ ଚିହ୍ନିବା ଓ ନିଜ ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ ।’

ସେହିପରି ସମାଜସେବୀ ଜୟନ୍ତୀ ଏକା କାର୍ଯ୍ୟକ୍ରମକୁ ଅତିଥି ଭାବେ ଡକା ଯାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ‘ବିନା ନାରୀରେ ପରିବାର ଚାଲିବା ଯେମିତି ଅସମ୍ଭବ, ଦେଶ ଚାଲିବା ବି ସେମିତି ଅସମ୍ଭବ । ଆମ ସରକାର ନାରୀଙ୍କୁ ସମାନ ଅଧିକାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମିଶନଶକ୍ତି ଜରିଆରେ ଆଜି ନାରୀ ଘରୁ ବାହାରି ନିଜ ପାଇଁ ଓ ପରିବାର ପାଇଁ କିଛି କରିପାରିଛି । ଯେଉଁ ନାରୀ ଦିନେ ରୋଜଗାର କ’ଣ ଜାଣି ନଥିଲେ ମିଶନଶକ୍ତି ଜରିଆରେ ଆଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।’

ସେ ଆହୁରି କହିଥିଲେ, ‘ଯଦି ଡରି ଯିବା ଝିଅକୁ ପାଠ କେମିତି ପଢାଇବା । ପୁଅକୁ ପଢାଇବା ଝିଅକୁ ଘରେ ବସାଇ ରଖିବା ଚିନ୍ତାଧାରାରୁ ବାହାରିବାକୁ ପଡିବ । ସରକାରୀ ଓ ଘରୋଇ ସ୍କୁଲ ନରଖି ଗୋଟିଏ ପ୍ରକାର ସ୍କୁଲ କରାଯାଉ ଓ ପିଲାଙ୍କୁ ପାଠ ବଢାଯାଉ ।’

ଏହି ଅବସରରେ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, କୁମାର ଚୋଡଗଙ୍ଗ ଦେବଙ୍କୁ ବର୍ଷା ଏବଂ ଜୟନ୍ତୀ ସମ୍ବର୍ଦ୍ଧିତ କରିଥିଲେ । ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ଏବଂ ସକାଳ ସିଇଓ ସୁବ୍ରତ କୁମାର ଦାସ ବର୍ଷା ପ୍ରିୟଦର୍ଶନୀ ଏବଂ ଜୟନ୍ତୀ ଏକ୍କାଙ୍କୁ ସମ୍ମାନିତ କରିଥିଲେ ।