୮ ଶ୍ରେଣୀକୁ ୩ କୋଠରୀ, ବାରଣ୍ଡାରେ ପଢ଼ୁଛନ୍ତି ପିଲା

ଭଦ୍ରକ: ପ୍ରାଥମିକ ଶିକ୍ଷାର ବିକଳ ଅବସ୍ଥା । ସ୍କୁଲ ଘର କାନ୍ଥରୁ ଇଟା ଖସିପଡିଲାଣି, ଢଳେଇ ଖସି ପଦାକୁ ରଡ ଦେଖାଗଲାଣି । ଜରାଜୀର୍ଣ୍ଣ ହୋଇ ପଡିଲାଣି ସ୍କୁଲ ଘର। ଆବଶ୍ଯକୀୟ ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାନଗର ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅବ୍ଯବସ୍ଥା। ୧୯୯୮ ମସିହାରେ ସ୍କୁଲଟି ପ୍ରତିଷ୍ଠା ହୋଇଥିଲା । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ସମେତ ଚାରି ଜଣ ଶିକ୍ଷକ ଆଠଟି ଶ୍ରେଣୀରେ ପାଠ ପଢାଉଛନ୍ତି। ହେଲେ ଏଠାରେ ଆଠଟି ଶ୍ରେଣୀ ନିମନ୍ତେ ୩ଟି ପାଠାଗାର ରହିଛି । ଆବଶ୍ଯକୀୟ ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ଚାଲିଛି ପାଠପଢା । ଖରା, ବର୍ଷା ଓ ଶୀତକୁ ଖାତିର ନକରି ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ଶାକ୍ଷାଦାନ ପ୍ରକ୍ରିୟା । ତେଣୁ ଆବଶ୍ଯକୀୟ ଶ୍ରେଣୀଗୃହ ଯୋଗାଇଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ସେହିପରି ଚୂଡାମଣୀ ପଞ୍ଚାୟତ କାନ୍ଥିସାହି ପ୍ରାଥମିକ ବିଦ୍ୟାଳୟରେ ମଧ୍ଯ ସମାନ ଅବସ୍ଥା ଦେଖିବାକି ମିଳିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୧୦୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଶ୍ରେଣୀଗୃହରୁ ଅଭାବ ଯୋଗୁଁ ବାରଣ୍ଡାରେ ପଢୁଛନ୍ତି ପିଲା । ଆବଶ୍ଯକୀୟ ଶ୍ରେଣୀଗୃହ ଯୋଗାଇଦେବାକୁ ଦାବି କରିଛନ୍ତି ଶିକ୍ଷକ ଓ ଶିକ୍ଷାର୍ଥୀ। ସେପଟେ ଖୁବ ଶୀଘ୍ର ଆବଶ୍ଯକୀୟ ଶ୍ରେଣୀଗୃହ ଯୋଗାଇଦିଆଯିବ ବୋଲି ବାସୁଦେବପୁର ବିଇଓ କହିଛନ୍ତି ।