spot_img

Latest Posts

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ। ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ପ୍ରାର୍ଥନା କରିଛି ପତଞ୍ଜଳି। ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରି ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ମାନ୍ୟବର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି।

ସୂଚନା ଅନୁଯାୟୀ, କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ସୁପ୍ରିମକୋର୍ଟ ପତଞ୍ଜଳିକୁ ନୋଟିସ୍ ପଠାଇଥିଲେ। ଆଜି ପତଞ୍ଜଳି ପକ୍ଷରୁ ଏନେଇ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଆଫିଡେଭିଟ୍‌ରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶୃତି ଦେଉଛି।

ସେ ଆହୁରି କହିଛନ୍ତି, କମ୍ପାନୀର ଉଦ୍ଦେଶ୍ୟ ହେଉଛି ପତଞ୍ଜଳିର ଉତ୍ପାଦ ବ୍ୟବହାର କରି ଲୋକମାନଙ୍କୁ ସୁସ୍ଥ ଜୀବନଯାପନ ପ୍ରତି ଉତ୍ସାହିତ କରିବା। ପୁରଣା ଶିକ୍ଷା ପଦ୍ଧତି ଏବଂ ସାମଗ୍ରୀ ବ୍ୟବହାର ତଥା ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହରକୁ ଗୁରୁତ୍ୱ ଦେବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା ଆଇଏମ୍ଏ। ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା ଆଇଏମ୍ଏ | ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

Latest Posts

Don't Miss