ନବମ ଶ୍ରେଣୀ ଭୂଗୋଳ ବହିରେ ଓଡ଼ିଶା ନେଇ ଭୁଲ ତଥ୍ୟ, ଶିକ୍ଷା ବିଭାଗ ଉପରେ ଅଙ୍ଗୁଳି ଉଠାଇଲେ ଶିକ୍ଷାବିତ୍‌

ଭୁବନେଶ୍ୱର: ପାଠ୍ୟ ପୁସ୍ତକରେ ଭୂଲ ତଥ୍ୟ । ଭୂଗୋଳ ବହିର ତଥ୍ୟ କରୁଛି ବିଭ୍ରାନ୍ତ । ସୋସିଆଲ ମିଡିଆରେ ଘୁରିବୁଲୁଛି ବହିର ଭୂଲ ତଥ୍ୟ । ଶିକ୍ଷା ବିଭାଗ ବି ଚୁପ ବସିଛି । ବିଶ୍ୱର ଭୌଗଳିକ ତଥ୍ୟ ଦେଉଥିବା ଭୁଗୋଳ ବହିରେ ଓଡିଶାର ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ।

ନବମ ଶ୍ରେଣୀର ଭୂଗୋଳ ବହିରେ ରାଜ୍ୟର ୫୮ଟି ସବଡିଭିଜନକୁ ୧୭୧ଟି ତହସିଲରେ ବିଭକ୍ତ କରାଯାଇଛି ବୋଲି ଲେଖାଯାଇଛି । ପ୍ରତ୍ୟେକ ବ୍ଲକକୁ ୬୨୩୪ଟି ଗ୍ରାମ ପଞ୍ଚାୟତରେ ବିଭକ୍ତ କରାଯାଇଛି । ଏହି ବାକ୍ୟରେ ଭୁଲ ତଥ୍ୟ ଥିବାବେଳେ ଏହାର ଅର୍ଥ ବୁଝିବା ବି କଷ୍ଟ । ସରକାରୀ ରେକର୍ଡ ଅନୁଯାୟୀ ରାଜ୍ୟରେ ୩୧୭ ତହସିଲ ଓ ୬୭୯୮ ଗ୍ରାମପଞ୍ଚାଯତ ରହିଛି । ଏଭଳି ଭୁଲକୁ ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ଶିକ୍ଷାବିତ ।

କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ବିଦ୍ୟାଳୟ ବନ୍ଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପାଠଶାଳା ପୋର୍ଟାଲରେ ଉପଲବ୍ଧ ହେଉଛି ପାଠ୍ୟପୁସ୍ତକ ।  ଆଉ ଏହି ପୋର୍ଟାଲରେ ଅପଲୋଡ ହୋଇଥିବା ଭୂଗୋଳ ବହିରେ ଏଭଳି ଭୁଲ ତଥ୍ୟ ରହିଛି ।  ଲେଖକ ମଣ୍ଡଳୀ ଉପରେ ପ୍ରଶ୍ନ ଉଠୁଥିବାବେଳେ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏହାକୁ ସଂଶୋଧନ କରାଯାଉ ବୋଲି ଶିକ୍ଷାବିତ କହିଛନ୍ତି ।

ପାଠ୍ୟପୁସ୍ତକ ଲେଖିବା ପାଇଁ ବରିଷ୍ଠ ଶିକ୍ଷକ ଲେଖକ ମଣ୍ଡଳୀରେ ରହନ୍ତି ।  ସମୀକ୍ଷକ ବି ରହନ୍ତି ।  କିନ୍ତୁ ଏତେ ବ୍ୟବସ୍ଥା ସତ୍ତ୍ୱେ ଏଭଳି ଭୂଲ ତଥ୍ୟ କିଭଳି ପ୍ରକାଶ ପାଇଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଭୁବନେଶ୍ୱରରୁ ଅନୁଜ ଦାସଙ୍କ ରିପୋର୍ଟ

Leave a Reply