ରଥଟଣାରେ ଅଘଟଣ; ବିଦ୍ୟୁତ ତାର ଲାଗି ଜଣେ ମୃତ, ୭ ଆହତ

ନନ୍ଦିଘୋଷ ବ୍ୟୁରୋ: ରଥ ଟଣା ବେଳେ ଅଘଟଣ । ୧୧ କେଭି ବିଦ୍ୟୁତ ତାରରେ ଲାଗିଲା ରଥ । ଦୁର୍ଘଟଣାରେ ଜଣେ ମୃତ , ୭ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୁଡିଖାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସଂଧ୍ୟାରେ ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଥିଲା ରଥ । ଫଳରେ ରଥ ନିକଟରେ ଥିବା ୮ ଜଣ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ଅଗରଡା ଗାଁର ଅନିଲ ସାହୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ରଥ ଟାଣିବାକୁ ଯିବା ବାଟରେ ଅଘଟଣ ଘଟିଛି  । ରଥ ଟାଣିବା ପାଇଁ  ଝିଅଘର ଗାଁକୁ ଯାଉଥିଲେ । ହେଲେ ଅଧା ରହିଗଲା ଇଚ୍ଛା । ଅଧାବାଟରେ ଚାଲିଗଲା ଜୀବନ । ପୋଲିସ ଭ୍ୟାନ ଧକ୍କାରେ ସ୍ତ୍ରୀ ମୃତ, ସ୍ୱା ଓ ଝିଅ ଗୁରୁତର । ଧର୍ମଗଡ ଆମ୍ବ ପାଣି ଥାନା ଭୂର୍ଷାଗୁଡା ନିକଟରେ ଘଟିଛି ଏହି ଅଘଟଣ । ମୃତକ ହେଲେ କନ୍ଦା ଗଡ ଗାଁର କିଆ ମାଝୀ । ସ୍ୱାମୀ କୃଷ୍ଣ ମାଝୀ ଓ ଝିଅ ନମିତାଙ୍କୁ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବ ପାଣି ପୋଲିସ ଭ୍ୟାନ ଧକ୍କାରେ ଏହି ଦୁର୍ଘଟଣା ଘଟିଛି । ସେପଟେ କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ବିଜୁ ଏକ୍ସପ୍ରେସରେ ଯାତାୟାତ ବନ୍ଦ ରହିଛି  । ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରୁଛି  ।