ଭୁବନେଶ୍ୱରରୁ ଲିଫ୍ଟ ଦେଇ ଛତିଆରେ ଫିଙ୍ଗିଦେଲେ, ନେଇଗଲେ ୭୫ ହଜାର ଟଙ୍କା

Miscreants Looted 75 Thousand From Man Giving Lift In Car

ଭୁବନେଶ୍ୱର: ଲିଫ୍ଟ ଦେଇ ଲୁଟ୍ । ବେଙ୍ଗଳୁରୁ ଫେରନ୍ତା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଲୁଟେରା । ୭୫ ହଜାର ଟଙ୍କା ଲୁଟିବା ପରେ ଛତିଆ ନିକଟରେ ଯୁବକଙ୍କୁ ଫିଙ୍ଗି ଦେଇ ଚାଲିଗଲେ । ବେଙ୍ଗଳୁରୁରେ କାମ କରନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ବିରେନ ପରିଡ଼ା । ଗତ ୧ ତାରିଖରେ ବେଙ୍ଗଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ଏକ କାରରେ କିଛି ଲୋକ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ ।

କାରରେ କିଛି ବାଟ ଯିବା ପରେ ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଜଣେ ପରେ ଜଣେ ଗାଡ଼ିରେ ବସିଥିଲେ । ବାଟରେ ଅମୁଲ୍ କୁଲରେ ନିଶା ଦ୍ରବ୍ୟ ଦେଇ ଲୁଟି ନେଇ ଛତିଆ ନିକଟରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ହୋସ୍ ଆସିବା ପରେ ବିରେନ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ପାଣି ମାଗିବାରୁ ଡ୍ରାଇଭର ଜଣଙ୍କ ତାଙ୍କୁ ଚୋର ଭାବି ମାଡ଼ ମାରିଥିବା ସହ ସୋସିଆଲ ମିଡିଆରେ ଭିଡିଓ ଛାଡ଼ିଥିଲେ ।

ପରେ ବିରେନ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ସମାନ ଢଙ୍ଗରେ ଢେଙ୍କାନାଳର ଜଣେ ଶିକ୍ଷକଙ୍କୁ ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟିଛନ୍ତି ଲୁଟେରା । ଟଙ୍କା ଲୁଟ ସହ ଏଟିଏମରୁ ୪୬ ହଜାର ଟଙ୍କା ଉଠାଇ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶିକ୍ଷକ ଜଣଙ୍କ ସହିଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply