ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

1 min read

ଦଶପଲ୍ଲା: ଦମ୍ପତିଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଶିମିଳିସାହି ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ଭୋର ସମୟରେ ୪ ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିବା ସହ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଭୋର ସମୟରେ କବାଟ ଭାଙ୍ଗି ପ୍ରମୋଦ ପ୍ରଧାନଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ।

ଏହି ସମୟରେ ପ୍ରମୋଦ ଓ ତାଙ୍କ ପତ୍ନୀ ଟିକିନା ଉଠିପଡ଼ିବାରୁ ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଦମ୍ପତିଙ୍କ ପାଟିଶୁଣି ପଡ଼ୋଶୀ ଆସିଯିବାରୁ ଘଟଣାସ୍ଥଳରୁ ଲୁଟେରାମାନେ ଚମ୍ପଟ ମାରିଥିଲେ। ସ୍ବାମୀ-ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।