ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ସହ ଫତେଗଡ ରାମ ମନ୍ଦିରରୁ ଚୋରି

ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠରୁ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍। ଗ୍ୟାସ କଟର ସହାୟତାରେ ହୁଣ୍ଡି ବାକ୍ସ କଟା ଯାଇଥିବା ଅନୁମାନ। ସକାଳୁ ଟ୍ରଷ୍ଟ ସଦସ୍ୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୬ ମାସ ହେବ ହୁଣ୍ଡି ବାକ୍ସ ଖୋଲାଯାଇନଥିଲା। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରି ହୁଣ୍ଡି ବାକ୍ସରେ ଦାନ ଦେଇଥାନ୍ତି। ବିଳମ୍ବିତ ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତ ହୁଣ୍ଡିବାକ୍ସ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ମାନେଜର।

ଅନ୍ୟପଟେ ଫତେଗଡ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି। ବିଳମ୍ୱିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୁପା ଲୁଟିନେଲେ ଦୁର୍ବୃତ୍ତ। ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ଘଟଣାସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ, ସକାଳୁ ମନ୍ଦିର ପୂଜାରୀ  ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହାସହ ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତେବେ ହୁଣ୍ଡିରେ ଭକ୍ତ ଦାନ ଦେଇଥିବା ଟଙ୍କା, ସୁନା, ରୁପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯାଇଛନ୍ତି। ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।