ମହାକାଳପଡ଼ା କାକଟପୁର ଗାଁରେ ବଡ ଧରଣର ଡକାୟତି, ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ଲୁଟ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ତନ୍ତିଆପାଳ କାକଟପୁର ଗାଁରେ ବଡ ଧରଣର ଡକାୟତି । ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ । ଲୁଟେରାଙ୍କ ଆକ୍ରମଣରେ ପରିବାର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ୩ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୭ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ୨ ଜଣ ଡକାୟତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କୁ ଭୟଭୀତ କରି ଖସିଯିବାକୁ ଚେଷ୍ଟା କରି ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ ଡକାୟତ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କାକଟପୁର ଗାଁର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଘରୁ ଡକାୟତି ହୋଇଛି । ରାତି ଗୋଟାଏରେ ବାରିପଟ କବାଟ ତାଡ଼ି ଘରେ ପଶିଥିଲେ ୭ ଜଣ ଡକାୟତ । ଘରେ ତିନିଜଣ ମହିଳାଙ୍କ ସହିତ ଦୁଇ ଜଣ ଶିଶୁ ଥିଲେ । କାର୍ତ୍ତିକଙ୍କର ତିନି ଜଣ ବାହାରେ ରୁହନ୍ତି । ଯାହା ଫଳରେ ଏହାର ଫାଇଦା ଉଠାଇଥିଲେ ଡକାୟତ । କାର୍ତ୍ତିକଙ୍କ ଘରେ ଅଧିକ ପରିମାଣର ସୁନା ରୁପା ଥିବାରୁ ଡକାୟତ ତାଙ୍କୁ ଟାର୍ଗେଟ୍ କରି ଘରେ ପଶିଥିଲେ । କାର୍ତ୍ତିକଙ୍କ ଘରେ ଡକାୟତ ପଶି ଥିବାର ଦେଖି ତାଙ୍କ ସାନବୋହୂ ଲୁଚି ଗାଁ ଲୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଗାଁ ଲୋକ ଲୁଟେରାଙ୍କ ଧରିବାକୁ ଉଦ୍ୟମ କଲା ବେଳେ ଫାଙ୍କା ଗୁଳିଚାଳନା କରି ଖସି ଯାଇଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ୨ଟି ବାଇକ୍ ସହ ୨ଜଣଙ୍କୁ କାବୁ କରି ମାଡ଼ ମାରିବା ସହ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ସେମାନଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।