ଗଜପତି ମୋହନାରେ ବଡ଼ ଧରଣର ଲୁଟ୍, ସୁନା, ଗହଣା ଲୁଟି ନେଲେ ଦୁର୍ବୃତ୍ତ

ଗଜପତି: ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ଶ୍ରୀହରି ଜୁଏଲର୍ସରୁ ଲୁଟ୍ । ସୁନା, ଗହଣା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ବୁଧୁବାର ରାତି ପ୍ରାୟ ୯ ଟା ସମୟରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବାପାଇଁ ବାହାରିଥିଲେ । ଦୋକାନ ସମ୍ମୁଖରେ ବ୍ୟାଗଟି ରଖିଥିବା ବେଳେ ଦୁଇଜଣ ଲୁଟେରା ବାଇକରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ ।  ଏନେଇ ଦୋକାନ ମାଲିକ ମୋହନା ଥାନାରେ ଅଭିଯୋଗ କରିଛନ୍ତି । ପ୍ରାୟ ୧ କିଲୋ ସୁନା ଓ ୫ କିଲୋ ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ମୋହନା ଅଞ୍ଚଳରେ ସିରିଜ ଚୋରି ଚାଲିଥିବା ବେଳେ ସୁନା ଦୋକାନରୁ ଜନ ଗହଳିପୂର୍ଣ୍ଣ ବଜାରରୁ ଲୁଟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।