ଦିନ ଦ୍ୱିପ୍ରହରରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଯାଜପୁର: ଯାଜପୁରରେ ପୁଣି ବୀଭତ୍ସ ହତ୍ୟା । ୫ ତାରିଖ ଦିନ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ଆଉଜଣେ ଶିକ୍ଷୟିତ୍ରୀ ହତ୍ୟାର ଶିକାର ହୋଇଛନ୍ତି । ଦିନ ଦ୍ୱିପ୍ରହରରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ । ଶିକ୍ଷୟତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ସନ୍ଦେହ ଘେରକୁ ଆସିଛନ୍ତି ମୃତା ଶିକ୍ଷୟିତ୍ରୀଙ୍କ ଡିଭୋର୍ସି ସ୍ୱାମୀ ।

ରାସ୍ତାକଡ଼ରେ ପଡ଼ିଛି ଶିକ୍ଷୟିତ୍ରୀ ଯୋଗମାୟା ଜେନାଙ୍କ ରକ୍ତାକ୍ତ ମୃତଦେହ । ଅତି ବୀଭତ୍ସ ଭାବେ ଦୁର୍ବୃତ୍ତ ତାଙ୍କ ଦୁଇଟି ଯାକ ହାତ ହାଣି ଦେଇଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଶିକ୍ଷକ ମୋହିନୀ ମୋହନ ମୁଦୁଲି । ଯାଜପୁର ରୋଡ୍ ନେଳିବାରି ସ୍କୁଲର ଶିକ୍ଷୟିତ୍ରୀ ଯୋଗମାୟା ଜେନା ଓ ଶିକ୍ଷକ ମୋହିନୀ ମୋହନ ମୁଦୁଲି ଏକ ସ୍କୁଟିରେ ଯିବା ବେଳେ ରାଛିପୁର ନୋହରାଶାଳ ନିକଟରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଖଣ୍ଡାରେ ଆକ୍ରମଣ କରିଥିଲା । ଖେଳି ଯାଇଥିଲା ଚାଞ୍ଚଲ୍ୟ ।

ଶିକ୍ଷୟିତ୍ରୀଙ୍କୁ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି ଶିକ୍ଷୟିତ୍ରୀଙ୍କ ଭାଇ । ଶିକ୍ଷୟିତ୍ରୀ ଯୋଗମାୟା ଜେନା ଓ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନ ମଲ୍ଲିକଙ୍କ ମଧ୍ୟରେ କିଛି ଦିନ ତଳେ ଛାଡ଼ପତ୍ର ହୋଇଥିଲା । ଯୋଗମାୟାଙ୍କୁ ସୌମ୍ୟ ବାରମ୍ବାର ହତ୍ୟା ଧମକ ଦେଉଥିଲେ ବୋଲି ତାଙ୍କ ଭାଇ କହିଛନ୍ତି । ସେପଟେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଛି । ୪ ଦିନ ତଳେ ଯାଜପୁର ମୀର୍ଜାପୁରରେ ଆଉଜଣେ ଶିକ୍ଷୟତ୍ରୀ ତରୁଲତା ବିଶ୍ୱାଳଙ୍କୁ ହାଣି ଦୁର୍ବୃତ୍ତ ହତ୍ୟା କରିଥିଲେ । ତାଙ୍କ ସ୍ୱାମୀ ଓ ଝିଅ ଗରୁତର ଆହତ ହୋଇଥିଲେ ।

(ଯାଜପୁରରୁ ବିକ୍ରମକେଶରୀ ସାହୁ)

Leave a Reply